ରାମଚରିତ ମାନସ: ସବୁ ବିଧାତାଙ୍କ ଖେଳ

ଶ୍ରୀରାମଙ୍କ ବନଗମନ ପରେ ରାଜା ଦଶରଥଙ୍କର ଦେହାନ୍ତ ହେଲା । ମୁନିଶ୍ରେଷ୍ଠ ବଶିଷ୍ଠଙ୍କ ପରାମର୍ଶ ମାନି ଭରତ ବିଧିପୂର୍ବକ ଶୁଦ୍ଧକ୍ରିୟା ସମାପନ କଲେ । ବିଧିପୂର୍ବକ ଗୋରୁ ଘୋଡ଼ା ହାତୀ ସମେତ ଗହଣା, ପୋଷାକ, ଅନ୍ନ, ଭୂମି, ଘର ଓ ଧନ ଦାନ କଲେ ।

ପିତା ଦଶରଥଙ୍କ ପାଇଁ ଭରତ ଯାହା ସବୁ କଲେ, ତାହାକୁ ମୁଖରେ ବର୍ଣ୍ଣନା କରିବା ଅସମ୍ଭବ । ଶୁଭ ଦିନ ଦେଖି ମୁନି ବଶିଷ୍ଠ ଆସିଲେ; ମନ୍ତ୍ରୀ ପରିଷଦ ଓ ସବୁ ମହାଜନଙ୍କୁ ଡକାଇଲେ । ରାଜସଭାରେ ସମସ୍ତଙ୍କୁ ବସାଇ ମୁନିଶ୍ରେଷ୍ଠ ବଶିଷ୍ଠ ଭରତ ଓ ଶତ୍ରୁଘ୍ନଙ୍କୁ ଡକାଇଲେ । ଭରତକୁ ପାଖରେ ବସାଇ ବଶିଷ୍ଠ ବହୁତ ବୁଝାଇଲେ ।

କୈକେୟୀଙ୍କ କୁଟିଳ ବୁଦ୍ଧି ଓ ରାଜାଙ୍କ ସତ୍ୟ ଓ ଧର୍ମବ୍ରତ କଥାକୁ ଉଚ୍ଚ ପ୍ରଶଂସା କଲେ । ଶ୍ରୀରାମଙ୍କ ଗୁଣ ଓ ସ୍ୱଭାବ ବିଷୟରେ ବର୍ଣ୍ଣନା କରୁକରୁ ବଶିଷ୍ଠଙ୍କ ଆଖିରୁ ଲୋତକ ବହିବାକୁ ଲାଗିଲା । ଲକ୍ଷ୍ମଣଙ୍କ ଭାତୃପ୍ରେମ ଓ ସୀତାଙ୍କ ପତିପ୍ରେମର ଉଚ୍ଚ ପ୍ରଶଂସା କରିବା ଭିତରେ ଜ୍ଞାନୀ ମୁନି ଶୋକ ଓ ସ୍ନେହରେ ମଗ୍ନ ହୋଇଗଲେ । ଗମ୍ଭୀର ହୋଇ ବଶିଷ୍ଠ କହିଲେ, ହେ ଭରତ, ସମୟ ବଡ଼ ବଳବାନ, ହାନି-ଲାଭ, ଜୀବନ-ମରଣ ଓ ଯଶ-ଅପଯଶ ସବୁକିଛି ବିଧାତାଙ୍କ ହାତରେ । ଆମେ ନିମିତ ମାତ୍ର ।