ଅଣ୍ଡର୍‌-୧୯ ବିଶ୍ୱକପ୍‌: ଫାଇନାଲରେ ଭାରତ ଚିତ୍‌; ଅଷ୍ଟ୍ରେଲିଆ ଚାମ୍ପିୟନ୍‌

ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଛି ଭାରତ । ବେନୋନୀସ୍ଥିତ ବିଲୋମୁର ପାର୍କରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୭୯ ରନରେ ପରାଜିତ କରିଛି । ଅଷ୍ଟ୍ରେଲିଆ ଚତୁର୍ଥ ଥର ପାଇଁ ଅଣ୍ଡର-୧୯ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛି । ଭାରତ ଷଷ୍ଠ ଥର ପାଇଁ ଚାମ୍ପିୟନ ମଉକା ହରାଇଛି ।

ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ଟାର୍ଗେଟ୍‌ ଦେଇଥିଲା । କିନ୍ତୁ ଭାରତୀୟ ଟିମ୍‌ ୪୩.୫ ଓଭର ଭିତରେ ସବୁ ୱିକେଟ୍‌ ହରାଇ ୧୭୪ କରି ପାରିଥିଲା । ଓପନର ଆଦର୍ଶ ସିଂଙ୍କୁ ବାଦ ଦେଲେ; ଆଉ ସମସ୍ତଙ୍କ ବ୍ୟାଟିଂ ନୈରାଶ୍ୟଜନକ ଥିଲା ।

ଭାରତର ସ୍କୋର ୧୨୨ ଥିଲାବେଳେ ୮ଟି ୱିକେଟ୍‌ ପଡ଼ି ସାରିଥିଲା । ଭାରତ ବିପୁଳ ରନ୍‌ ବ୍ୟବଧାନରେ ହାରିବ ବୋଲି ଆଶଙ୍କା କରାଯାଉଥିଲା । ମାତ୍ର ମୁରୁଗନ ଅଭିଷେକ ଭାରତର ସ୍କୋରକୁ ୧୫୦ ପାର କରିଥିଲେ । ମୁରୁଗନ ୪୨ ରନ୍‌ କରିଥିଲେ । ଓପନର ଆଦର୍ଶ ୪୭ରୁ ଅଧିକ ରନ୍‌ କରିଥିଲେ । ଏହି ଦୁଇଜଣଙ୍କୁ ବାଦ ଦେଲେ ଏକମାତ୍ର ମୁଶୀର ଖାନ ଦୁଇଅଙ୍କ ବିଶିଷ୍ଟ ସ୍କୋର କରି ପାରିଥିଲେ । ଅଷ୍ଟ୍ରେଲିଆ ବୋଲର ମହଲି ବିୟର୍ଡମ୍ୟାନ୍‌ ଓ ସ୍ପିନର ରାଫ୍‌ ମ୍ୟାକ୍‌ମିଲାନ ତିନୋଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ବୋଲର କେଲମ ବିଡର ଦୁଇଟି ୱିକେଟ୍‌ ପାଇଥିଲା ବେଳେ ଚାର୍ଲି ଆଣ୍ଡରସନ୍‌ ଓ ଟମ୍‌ ଷ୍ଟ୍ରାକର ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ ।