ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର: ପ୍ରବୀଣ ସାହିତ୍ୟିକ, ପ୍ରଶାସକ ଓ ଦୈନିକ ସମ୍ବାଦପତ୍ର ‘ସମୟ’ର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତାଙ୍କର ପରଲୋକ ହୋଇଯାଇଛି । ଦୁଇଦିନ ତଳେ ଅସୁସ୍ଥ ଅନୁଭବ କଲାପରେ ଖିଆପିଆ ଏକପ୍ରକାର ଛାଡ଼ି ଦେଇଥିଲେ । ଆଜି ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ଦିନ ପ୍ରାୟ ସାଢେ଼ ୧୨ଟାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ନିକଟରେ ଦୁଇପୁଅ ଓ ଦୁଇଝିଅଙ୍କ ସମେତ ସଂପର୍କୀୟମାନେ ଉପସ୍ଥିତ ଥିଲେ ।

ଓଡ଼ିଆ ସାହିତ୍ୟର ଗପ, କବିତା, ଉପନ୍ୟାସ, ଅନୁବାଦ କ୍ଷେତ୍ରରେ କଲମ ଚାଳନା କରିଥିଲେ । ସେ ପ୍ରାୟ ୨୭ଟି ଗପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ଲେଖିଛନ୍ତି । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ପ୍ରକାଶ ପାଇଥିଲା । ୧୯୮୭ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪ରେ ସମ୍ମାନଜନକ ଶାରଳା ପୁରସ୍କାର ପାଇଥିଲେ ।