ଦଲାଲ କବଳରେ କଟକ ବଡ଼ ଡାକ୍ତରଖାନା

କଟକ: ଦଲାଲଙ୍କ ଦଖଲରେ କଟକ ବଡ଼ ଡାକ୍ତରଖାନା । ଏହି ଅଭିଯୋଗଟି ଦୀର୍ଘ ୪୦ ବର୍ଷ ଧରି ଶୁଣିବାକୁ ମିଳୁଛି । ଘନଘନ ଅଭିଯୋଗ ପାଇବା ପରେ ପୁଲିସ ପ୍ରଶାସନ କିଛି ଦିନ ପାଇଁ କଟକ ବଡ଼ ଡାକ୍ତରଖାନାକୁ ଘଂଟଚକଟା କରିଦେବ । ୩/୪ ମାସ ପାଇଁ ଦଲାଲଙ୍କ ଉତ୍ପାତ କମିଯିବ । ତା’ପରେ ଯଥା ପୂର୍ବଂ ତଥା ପରଂ ।

ଡାକ୍ତର ଓ ରୋଗୀଙ୍କ ମଝିରେ ଦଲାଲଙ୍କ ଭୂମିକା ପାଇଁ ଘରୋଇ ନର୍ସିଂ ହୋମ୍‌ ଓ ଔଷଧ ଦୋକାନୀମାନେ ଦାୟୀ । ଆଜି ପୁଲିସ କଟକ ବଡ଼ ଡାକ୍ତରଖାନା ପରିସରରୁ ୩ ଜଣ ଦଲାଲଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦଲାଲମାନେ ରୋଗୀ ଅବା ରୋଗୀଙ୍କ ସଂପର୍କୀୟଙ୍କୁ ବୁଝାଇ ସୁଝାଇ ନର୍ସିଂ ହୋମ୍‌ ପ୍ରତି ମନାଇବାକୁ ଉଦ୍ୟମ କରୁଥିଲେ ।

ଦଲାଲଙ୍କୁ ଧରିବା ପାଇଁ ପୁଲିସକୁ ରୋଗୀ ବେଶ ଧରିବାକୁ ପଡ଼ିଥିଲା । ସୂଚନା ମୁତାବକ ଆଜି ଟ୍ରମା କେୟାର ନିକଟରେ ରୌଫୁର ଅହମ୍ମଦ, ହିମାଂଶୁ ପଣ୍ଡା ଓ ସରୋଜ ଭୋଇ ଠିଆ ହୋଇଥିଲେ । ପୁଲିସର ଜଣେ କର୍ମଚାରୀ ରୋଗୀ ବେଶରେ ସେଠାକୁ ଯାଇ ପହଂଚିଥିଲେ । ରୋଗୀ ବେଶୀ ପୁଲିସକୁ ପାଖରେ ପାଇ ତିନି ଦଲାଲ ତାଙ୍କୁ ଘେରି ଯାଇଥିଲେ । ଘରୋଇ ନର୍ସିଂ ହୋମକୁ ଯିବାକୁ ବୁଝାଇଥିଲେ ।

ସୁଯୋଗ ଉଣ୍ଡି ପୁଲିସ ସେଠାରେ ପହଂଚି ତିନି ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା । ମାତ୍ର ୩ ଦିନ ତଳେ କଟକ ବଡ଼ ଡାକ୍ତରଖାନା ପରିସରରୁ ପୁଲିସ ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।