ଏସିଆ କପ୍‌: ପାକିସ୍ତାନକୁ ଭାରତର ୨୬୭ ରନ୍‌ ଟାର୍ଗେଟ୍‌

ଶ୍ରୀଲଙ୍କାର କ୍ୟାଣ୍ଡିସ୍ଥିତ ପଲ୍ଲେକେଲେ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମୁକାବିଲାରେ ବାଧା ସୃଷ୍ଟି କରିଛି ବର୍ଷା । ଏସିଆ କପର ତୃତୀୟ ମୁକାବିଲାରେ ଭାରତ ପାକିସ୍ତାନକୁ ଜିତିବା ପାଇଁ ୨୬୭ ରନ ଟାର୍ଗେଟ୍‌ ଦେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ଟା ୪୪ ମିନିଟରେ ଖେଳ ଶେଷ କରିଥିଲା । ୮ଟା ୧୪ ମିନିଟରେ ଖେଳ ଆରମ୍ଭ ହେବାର ଥିଲା । କିନ୍ତୁ ଏ ଯାଏ ଖେଳ ଆରମ୍ଭ ହୋଇପାରିନି । ବର୍ଷା କାରଣରୁ ପାକିସ୍ତାନକୁ ନିର୍ଦ୍ଧାରିତ ଓଭର ଖେଳିବାକୁ ସୁଯୋଗ ଦିଆଯିବ । ଯଦି ପାକିସ୍ତାନକୁ ୪୫ ଓଭର ଖେଳିବାକୁ ସୁଯୋଗ ଦିଆଯିବ, ତେବେ ଜିତିବା ପାଇଁ ରନ୍‌ ଟାର୍ଗେଟ୍‌ ରହିବ ୨୫୪ । ଯଦି ୪୦ ଓଭର ଖେଳାଯିବ, ତେବେ ଜିତିବା ପାଇଁ ଟାର୍ଗେଟ୍‌ ରହିବ ୨୩୯ ।

ଯଦି ୩୦ ଓଭର ଖେଳାଯିବ, ଜିତିବା ପାଇଁ ରନ୍‌ ଟାର୍ଗେଟ୍‌ ରହିବ ୨୦୩ । ୨୦ ଓଭର ପାଇଁ ରନ୍‌ ଟାର୍ଗେଟ୍‌ ରହିବ ୧୫୫ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ୪୮.୫ ଓଭରରେ ଭାରତ ୨୬୬ ରନ କରିବାକୁ ସକ୍ଷମ ହୋଇଥିଲା । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୮୭ ଓ ଈଶାନ୍ତ କିଶନ ୮୨ ରନ କରିବାକୁ ସକ୍ଷମ ହୋଇଥିଲେ ।

ପାକିସ୍ତାନର ଦ୍ରୁତବୋଲର ସବୁ ୱିକେଟ୍‌ ଦଖଲ କରିଛନ୍ତି । ଶାହିନ ଶାହ ଆଫ୍ରିଦି ସର୍ବାଧିକ ଚାରିଟି ୱିକେଟ୍‌ ହାସଲ କରିଛନ୍ତି । ସେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍‌ ଦଖଲ କରିଛନ୍ତି । ହାରିସ ରୌଫ ଓ ନସିମ ଶାହ ପ୍ରତ୍ୟେକ ଲେଖାଏଁ ୩-୩ ୱିକେଟ୍‌ ପାଇଛନ୍ତି ।

ଖୁବ କମ୍‌ ସମୟ ଭିତରେ ଭାରତ ପ୍ରଥମ ଚାରିଟି ୱିକେଟ୍‌ ହରାଇଥିଲା । ୬ ନମ୍ବର ଖେଳାଳି ଭାବେ ପଡ଼ିଆକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କର ଦମଦାର ବ୍ୟାଟିଂ ବଳରେ ଭାରତ ୨୦୦ ରନ୍‌ ଅତିକ୍ରମ କରିଥିଲା । ଦିନିକିଆ କ୍ୟାରିୟରରେ ପାଣ୍ଡ୍ୟା ୧୧ତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୯୦ ବଲକୁ ସାମ୍ନା କରି ୭ ଚୌକା ଓ ଗୋଟିଏ ଛକା ବଳରେ ୮୭ ରନ୍‌ କରିଥିଲେ।