ଫାଇନାଲ ମ୍ୟାଚ୍‌ ଦେଖିବାକୁ ଆସିଛନ୍ତି ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ହାଇ ଭୋଲଟେଜ୍‌ ମ୍ୟାଚ୍‌ ଦେଖିବା ପାଇଁ ଭାରତ ପହଂଚିଛନ୍ତି ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମର୍ଲେସ । ସେହି କାରଣରୁ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଇଛି ।
ଦିଅଁ ଦେଖା ସାଙ୍ଗକୁ ବ୍ୟବସାୟିକ ବୁଝାମଣା କରିବା ପାଇଁ ଅଷ୍ଟ୍ରେଲ୍ରିା ଉପ-ପ୍ରଧାନମନ୍ତ୍ରୀ ମର୍ଲେସ ଆସିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କିଛି ପ୍ରତିରକ୍ଷା ବୁଝାମଣା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଉପ-ପ୍ରଧାନମନ୍ତ୍ରୀ ମର୍ଲେସ କଥା ହେବେ । ଆଗ ମ୍ୟାଚ୍‌ ଦେଖା ପର୍ବ ଓ ନଭେମ୍ବର ୨୦ ତାରିଖରେ ପ୍ରତିରକ୍ଷା ରାଜିନାମା ଆଲୋଚନା । ପ୍ରତିରକ୍ଷା ଆଲୋଚନାରେ ଭାଗ ନେବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର । ଅଷ୍ଟ୍ରେଲିଆ ପକ୍ଷରୁ ଆଲୋଚନାରେ ଯୋଗଦାନ କରିବେ ରିଚାର୍ଡ ମର୍ଲେସ ଓ ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ଓଙ୍ଗ ।

ଇତିମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ତା’ ସହିତ ଷ୍ଟାଡିୟମର ସ୍ୱଚ୍ଛତା ରକ୍ଷା, ଟ୍ରାଫିକ୍‌ ପରିଚାଳନା ପ୍ରତି ଗୁରୁତ୍ୱ ଦିଆଯାଇଛି । ଷ୍ଟାଡିୟମ ଭିତରେ ବାହାରେ ପ୍ରାୟ ୬୦୦୦ ସୁରକ୍ଷାକର୍ମୀ ମୁତୟନ ରହିବେ ।