ହନୁମାନ ମହାପାତ୍ର: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇ ବାବୁ ସୁରେଶ କୁମାର ମହାପାତ୍ର ପଶିଗଲେ ମୁଖ୍ୟମନ୍ତ୍ରୀଙ୍କ ଛାମୁରେ । ରାଜ୍ୟ ସରକାରଙ୍କ ସଙ୍କଟମୋଚକ ଭାବେ ବାବୁଙ୍କର ଭାରି ପତିଆରା ଥିଲା । ବାବୁ ଓମଫେଡ୍‌ ଦାୟିତ୍ୱରେ ଥିଲାବେଳେ ଆପଣା ବୁଦ୍ଧିବଳରେ କୁଆଡେ଼ ଭାରି ଦୁଧିଆଳି କରି ଦେଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ନବ କଳେବରଠାରୁ ଆରମ୍ଭ କରି ବ୍ରହ୍ମ ସ୍ଥାପନର ପ୍ରତିଟି ସଙ୍କଟକୁ ଦୃଢ଼ତାର ସହିତ ନିର୍ବାହ କରିଥିଲେ । ବାବୁଙ୍କର ପତିଆରାକୁ ପରୀକ୍ଷଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମୁଖ୍ୟ ଶାସନ ସଚିବ କରିଥିଲେ ।

ଖାଲି ସେତିକି ନୁହେଁ, ଥର ଥର କରି ତିନିଥର ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲେ । ମୁଖ୍ୟ ଶାସନ ସଚିବ ପଦରୁ ଅବ୍ୟାହତି ନେବା ପରେ ତାଙ୍କୁ ରାଜ୍ୟ ବିଦ୍ୟୁତ ନିୟାମକ ଅଧ୍ୟକ୍ଷ କରାଗଲା । ସେହି ସମୟରେ ସାରା ରାଜ୍ୟରେ ଗୋଟିଏ ଚାପା ଆଲୋଚନାର ଢେଉଟିଏ ବହିଗଲା । ସତେ ଯେପରି ଓଇଆରସି ଅଧ୍ୟକ୍ଷ ପଦବୀଟି ସୁରେଶ ମହାପାତ୍ରଙ୍କ ଅବସରକୁ ଅପେକ୍ଷା କରିଥିଲା ।

ମାତ୍ର ୟେ କ’ଣ ହେଲା? ମାତ୍ର ୮ ମାସ ଅଧ୍ୟକ୍ଷ ରହିବା ପରେ ହଠାତ୍‌ ଇସ୍ତଫା ପତ୍ର ପଠାଇଦେଲେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ । ବାବୁ ସଙ୍କଟମୋଚନ ଅବତାର ଧରି ଓଇଆରସିରେ ପଶିଲେ । ମାତ୍ର ଓଇଆରସିର ପର୍ବତ ପ୍ରମାଣ ସଙ୍କଟକୁ ଦେଖି ପଳାୟନ କଲେ ।  ରକ୍ଷାକର ପ୍ରଭୁ, ଓଇଆରସିର ସଙ୍କଟମୋଚନ ମୋ ପକ୍ଷରେ ସମ୍ଭବ ନୁହେଁ । କୁଚକ୍ରୀ ଶକୁନିଙ୍କ ଉପସ୍ଥିତିରେ ଟାଟା ପାୱାର (ଦୁର୍ଯ୍ୟୋଧନ) ଓ ଗ୍ରୀଡ୍‌କୋ (ଧ୍ରୁତରାଷ୍ଟ୍ର) ମିଳିତ ରାଜିନାମାର ଅସଲ ଚାବିକୁ ଧରି ପକାଇଲା ବିଜୁଳି ଉପଭୋକ୍ତା ମହାସଂଘ ।
ଓଇଆରସିର ନବକଳେବର କରିବେ କ’ଣ? ବାବୁ ହନୁମାନ ମହାପାତ୍ର ଏକାଡିଅାଁରେ ପହଂଚିଗଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ।

ଏଣିକି ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଦାୟିତ୍ୱ ତୁଲାଇବେ । କୁହାଯାଉଛି, ଭସ୍ମାସୁର ପାଣ୍ଡିୟାନଙ୍କ ସହିତ ହନୁମାନ ମହାପାତ୍ରଙ୍କ ଯୋଡ଼ି ଠିକ୍‌ କାଶିଆ-କପିଳା ଯୋଡ଼ି ହୋଇଯିବ । ଦୁହିଁଙ୍କ କୂଟନୀତି ଚାଲ ବିଜେଡିକୁ ମହାଶକ୍ତିଶାଳୀ କରିଦେବ ଯାହା ନବୀନ ପଟ୍ଟନାୟକଙ୍କୁ କାଳଜୟୀ କରିଦେବ ।