ଘୁଙ୍ଗୁଡ଼ି ମାରୁଛନ୍ତି କି? ପ୍ରାଣ ଚାଲି ଯାଇପାରେ

ଶୋଇବା ସମୟରେ ଅଧିକାଂଶ ଲୋକେ ଘୁଙ୍ଗୁଡ଼ି ମାରିଥାନ୍ତି । ଘୁଙ୍ଗୁଡ଼ି ମାରିବା ଗୋଟିଏ ଖରାପ ଅଭ୍ୟାସ । ଘୁଙ୍ଗୁଡ଼ି ମାରୁଥିବା ଲୋକ କାଳବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏପରି କିଛି ଘୁଙ୍ଗୁଡ଼ି ଅଛି ଯାହାକୁ ମାରାତ୍ମକ ରୋଗର ଆଦ୍ୟ ଲକ୍ଷଣ ଭାବେ ବିବେଚନା କରାଯାଏ । ତେଣୁ ଘୁଙ୍ଗୁଡ଼ିକୁ ମାମୁଲି ଭାବନ୍ତୁ ନାହିଁ ।

ମନେରଖନ୍ତୁ, ସ୍ଲିପ୍‌ ଏପନିୟା କାରଣରୁ ଘୁଙ୍ଗୁଡ଼ି ଶୁଣିବାକୁ ମିଳିଥାଏ । ଜାତୀୟ ହୃତପିଣ୍ଡ, ଫୁସଫୁସ୍‌ ଓ ରକ୍ତ ସଂସ୍ଥାନ ସୂଚନା ମୁତାବକ ଏହି ରୋଗ ପ୍ରଭାବରୁ ଲୋକେ ବାରମ୍ବାର ଓ ଉଚ୍ଚଶବ୍ଦରେ ଘୁଙ୍ଗୁଡ଼ି ମାରିଥାନ୍ତି ।

ଶୋଇଥିବା ସମୟରେ ବେଳେବେଳେ ଶ୍ୱାସକ୍ରିୟା ଅଟକି ଯାଏ ଯାହା ନିଦରେ ଶୋଇଥିବା ଲୋକ ଜାଣି ପାରନ୍ତିନି । କିନ୍ତୁ ଏହି ପ୍ରକ୍ରିୟା ମଣିଷ ଜୀବନ ନେଇଯାଇପାରେ । ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେବାରୁ ନିଦ ଅଧାରୁ ଭାଙ୍ଗିଯାଏ । ସେହି କାରଣରୁ ମୁଣ୍ଡବଥା, ଶରୀର ଅବଶ, ମୁହଁ ଶୁଖିଯିବା, ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ । ମହିଳାଙ୍କ କ୍ଷେତ୍ରରେ ସ୍ଲିପ୍‌ ଏପନିୟା ସାଂଘାତିକ ରୋଗକୁ ଆମନ୍ତ୍ରଣ କରିଥାଏ । ହର୍ମୋନ୍‌ ଅନିୟମିତା, ମାସିକ ଋତୁ ଗୋଳମାଳ, କିଡ୍‌ନୀ ସମସ୍ୟା, ହୃତପିଣ୍ଡ ଓ ଫୁସଫୁସ୍‌ ଜନିତ ସମସ୍ୟାକୁ ଡାକି ଆଣିଥାଏ ।

ସ୍ଲିପ୍‌ ଏପନିୟା ରୋଗ ପାଇଁ କୌଣସି ଉପଶମ ନାହିଁ । ତେବେ ଘୁଙ୍ଗୁଡ଼ି ମାରିବା ଅଭ୍ୟାସଟିକୁ ରୋକି ହେବ । ଆରାମଦାୟକ ନିଦ ପାଇଁ ଶ୍ୱାସକ୍ରିୟା ଡିଭାଇସ୍‌, ଓରାଲ୍‌ ଡିଭାଇସ୍‌ ଓ ମାଉଥ୍‌ ଅବା ଫେସିୟାଲ ଥେରାପି ଭଳି ପଦକ୍ଷେପ ଗ୍ରହଣ କରା ଯାଇପାରିବ । ନିୟମିତ ଜୀବନଚର୍ଯ୍ୟା ବଦଳାଇ ପାରିଲେ, ସବୁଠାରୁ ଭଲ ।