ଦଳ ଘୋଷଣା ପୂର୍ବରୁ ଧାୱନଙ୍କୁ ଫୋନ କରିଥିଲେ ଦ୍ରାବିଡ

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ନିଜେ ଧାୱନଙ୍କୁ ଫୋନ କରି ତାଙ୍କୁ କଣ ପାଇଁ ଟି-୨୦ ଦଳରେ ସାମିଲ…

ମୁମ୍ବାଇ: ଆଇପିଏଲ-୨୦୨୨ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଏହି ସିରିଜ ଜୁନ ୯ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେଏଲ ରାହୁଲଙ୍କୁ ଦଳର ଅଧିନାୟକ କରାଯାଇଛି । ସବୁଠୁ ବଡ କଥା ହେଲା ଯେ, ଶିଖର ଧାୱନଙ୍କୁ ଦଳରେ ସାମିଲ୍‌ କରାଯାଇ ନାହିଁ । ସେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ସହ ଭଲ ଫର୍ମରେ ଥାଇ ମଧ୍ୟ ଚୟନକର୍ତ୍ତା ତାଙ୍କୁ ଦଳରେ ନେଇ ନାହାନ୍ତି । ଏହାକୁ ନେଇ ଅଧିକାଂଶ ପୂର୍ବତନ ବରିଷ୍ଠ ଖେଳାଳି ଏବଂ ପ୍ରଶଂସକ ଚକିତ । ଏବେ ଏହି ମାମଲାରେ ନୂତନ ଖୁଲାସା ହୋଇଛି ।

ଦଳ ଘୋଷଣା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ନିଜେ ଧାୱନଙ୍କୁ ଫୋନ କରି ତାଙ୍କୁ କଣ ପାଇଁ ଟି-୨୦ ଦଳରେ ସାମିଲ କରାଯାଇନି ଜଣାଇଥିଲେ । ଦ୍ରାବିଡଙ୍କ ନିଷ୍ପତ୍ତିରେ ସମସ୍ତେ ସହମତ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଶିଖର ଧାୱନ ଏକ ଦଶନ୍ଧି ଧରି ଭାରତୀୟ ଦଳ ପାଇଁ ଭଲ ଖେଳି ଆସିଛନ୍ତି । ମାତ୍ର ଟି-୨୦ରେ ଯେଉଁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସୁଯୋଗ ମିଳିବା ଉଚିତ । ରାହୁଲ ଏହି ମୁସ୍କିଲ ନିଷ୍ପତ୍ତି ନେବାକୁ ଚାହୁଁଥିଲେ ଏବଂ ସମସ୍ତେ ତାଙ୍କ ସହ ସହମତ ଥିଲେ । ଦଳ ଘୋଷଣା ପୂର୍ବରୁ ନିଜେ ରାହୁଲ ଦ୍ରାବିଡ ଶିଖରଙ୍କୁ ଫୋନ କରି ଏହାର ସୂଚନା ଦେଇଥିଲେ ।

ଅଧିକାରୀ କହିଛନ୍ତି, ଯୋଜନା ସଂପୂର୍ଣ୍ଣ ସରଳ । ଯେବେ ଆପଣଙ୍କ ପାଖରେ ଋତୁରାଜ ଗାଏକୱାଡ, ଇଶାନ କିଷନ, କେଏଲ ରାହୁଲ ଏବଂ ସଞ୍ଜୁ ସାମସନଙ୍କ ପରି ଟପ ଅର୍ଡର ବ୍ୟାଟସମ୍ୟାନ ଅଛନ୍ତି, ତେବେ ଆପଣଙ୍କ ପାଇଁ ବରିଷ୍ଠ ଖେଳାଳିଙ୍କୁ ସାମିଲ କରିବା ମୁସ୍କିଲ ହୋଇଥାଏ । ରାହୁଲ ଦ୍ରାବିଡ କଣ କରିବାକୁ ଚାହାନ୍ତି ଏହାର ସ୍ପଷ୍ଟ ଆଇଡିଆ ତାଙ୍କ ପାଖରେ ଅଛି । ଆମେ ସମସ୍ତେ ଶିଖର ଧାୱନ ଖୁବ ସମ୍ମାନ କରୁ । ଏହି କାରଣରୁ ଦ୍ରାବିଡ ନିଜେ ଫୋନ କରି ଶିଖରଙ୍କ ସହ କଥା ହୋଇଥିଲେ ।