ଆଇପିଏଲ ନିଲାମରେ ଭୁଲ: ଆରସିବି ମୁଣ୍ଡାଇଲା ୨୦ ଲକ୍ଷ ଟଙ୍କା କ୍ଷତି

ସବୁଠାରୁ ମହଙ୍ଗା ଖେଳାଳି ଅଷ୍ଟ୍ରେଲିଆ ବୋଲର ଷ୍ଟାର୍କ

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ଆଇପିଏଲ-୨୦୨୪ ନିଲାମ । ପ୍ରଥମ ଥର ପାଇଁ ଆଇପିଏଲ ନିଲାମରେ ଜଣେ ମହିଳା ଯୋଗଦାନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସଂପୃକ୍ତ ମହିଳା ମଲ୍ଲିକା ସାଗରଙ୍କର ସାମାନ୍ୟ ଭୁଲ ନିଲାମ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରତି ପ୍ରଶ୍ନ କରିଛି । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨୦ ଲକ୍ଷ ଟଙ୍କା କ୍ଷତି ସହିଛି । ୱେଷ୍ଟଇଣ୍ଡିଜ ବୋଲର ଅଲଜାରୀ ଜୋସେଫଙ୍କ ନିଲାମ ସମୟରେ ଭୁଲଟିଏ ହୋଇଥିଲା ।

ଅଲଜାରୀଙ୍କ ବେସ୍‌ ପ୍ରାଇସ୍‌ ଏକ କୋଟି ଟଙ୍କା ଥିଲା । ଆରସିବି ତାଙ୍କୁ ୧୧.୫୦ କୋଟି ଟଙ୍କାରେ କିଣିଛି । ଅଲଜାରୀଙ୍କୁ କିଣିବା ପାଇଁ ଚେନ୍ନାଇ ସୁପର କିଙ୍ଗସ୍‌ ପ୍ରଥମ ବାଜି ଡାକିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୩ କୋଟିରେ କିଣିବାକୁ ବାଜି ଲଗାଇବାରୁ ଚେନ୍ନାଇ ହଟିଯାଇଥିଲା । ମାତ୍ର ନିଲାମରେ ବାଜି ଲଗାଇବାକୁ ଆସିଲେ ଲକ୍ଷେ୍ନø ସୁପର ଜାଏଂଟ୍ସ ଓ ଆରସିବି । ବାଜି ୬ କୋଟି ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଲା ।

ନିଲାମ କିଛି ସମୟ ପାଇଁ ଅଟକି ଯାଇଥିଲା । ସାନି ନିଲାମ ବାଜି ୬ କୋଟି ୪୦ ଲକ୍ଷ ଟଙ୍କାରୁ ଆରମ୍ଭ କରାଯିବା କଥା । ମାତ୍ର ମଲ୍ଲିକା ୬ କୋଟି ୬୦ ଲକ୍ଷ ଟଙ୍କାରୁ ନିଲାମ ଡାକିବା ଆରମ୍ଭ କଲେ । ଅନ୍ୟ ଉପାୟ ନପାଇ ଆରସିବି ନିଲାମ ଡାକକୁ ବୃଦ୍ଧି କରି ଅଲଜାରୀଙ୍କୁ ୧୧.୫୦ କୋଟି ଟଙ୍କାରେ କିଣିଲା । ମତଲବ ଆରସିବିକୁ ୨୦ ଲକ୍ଷ ଟଙ୍କା କ୍ଷତି ।

ଚଳିତ ଆଇପିଏଲ ନିଲାମରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ମୂଲ୍ୟ ସର୍ବାଧିକ ୨୪.୭୫ କୋଟି ଟଙ୍କାକୁ ଛୁଇଁଛି । ଶାହରୁଖ ଖାନଙ୍କ ମାଲିକାନାରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଷ୍ଟ୍ରେଲିଆ ବୋଲର ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆ ଟିମ୍‌ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ।