ମହାପ୍ରଭୁଙ୍କୁ ଶୀତ: ସାତଦିନକୁ ସାତଟି ରଙ୍ଗର କମ୍ବଳ

ପୁରୀ: ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରବଳ ଶୀତ । ଶୀତରୁ ରକ୍ଷା ପାଇବା ପାଇଁ ତିନି ଠାକୁରଙ୍କୁ ଘୋଡ଼ଲାଗି କରାଯିବ । ସାତଦିନକୁ ସାତୋଟି ରଙ୍ଗର କମ୍ବଳ ମହାପ୍ରଭୁଙ୍କୁ ଲାଗି କରାଯିବାର ନୀତି ଆରମ୍ଭ ହୋଇଛି ।

ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀତିଥିକୁ ଓଢ଼ଣ ଷଷ୍ଠୀ କୁହାଯାଏ । ଏହିଦିନଠାରୁ ମାଘ ମାସ ଶୁକ୍ଳପକ୍ଷ ଷଷ୍ଠୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଘୋଡ଼ଲାଗି କରାଯିବ । ତଦନୁଯାୟୀ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିର ଚାରିପାଖରେ ସାଢେ଼ ତିନିଘେରା, ରତ୍ନସିଂହାସନ ଚାରିପଟେ ସାଢେ଼ ତିନିଘେରା ଘୋଡ଼ ପରିକ୍ରମା କରାଯାଇଥିଲା । ତା’ପରେ ତିନିଠାକୁରଙ୍କୁ ଘୋଡ଼ଲାଗି କରାଯାଇଥିଲା । ଘୋଡ଼ଲାଗି ପରେ ଠାକୁରଙ୍କୁ ସୁନା ଅଳଙ୍କାର ପିନ୍ଧାଇ ଦିଆଯାଇଥିଲା ।

ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗରିବ ଲୋକଙ୍କ ପାଖରେ କମ୍ବଳ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ବଳ ବିତରଣ ବ୍ୟବସ୍ଥା ରହିଛି । କିନ୍ତୁ କୌଣସି କାରଣରୁ ଚଳିତ ବର୍ଷ କମ୍ବଳ ବିତରଣ ବ୍ୟବସ୍ଥାରେ ବ୍ରେକ୍‌ ଲଗାଯାଇଛି ।