କୌଣସି ଗୁଣରେ କମ୍‌ ନୁହନ୍ତି ଆମ ବାଘୁଣୀ ଦଳ

କନିଷ୍ଠ-୧୯ ଟି-୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ: କନିଷ୍ଠ-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତର ଝିଅମାନେ ପ୍ରବେଶ କରିଛନ୍ତି । ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତର କନିଷ୍ଠ ମହିଳା ଟିମ ଏବେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ବିଜେତା ଟିମକୁ ଅପେକ୍ଷା କରିଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରୁ ଯିଏ ବିଜେତା ହେବ, ସେହି ଦଳ ଫାଇନାଲରେ ଭାରତକୁ ଭେଟିବ । ଶୁକ୍ରବାର ଅପରାହ୍ଣ ୫ଟା ୧୫ ମିନିଟରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ସେମି ଫାଇନାଲ ଅନୁଷ୍ଠିତ ହେବ । ଜାନୁଆରୀ ୨୯ ତାରିଖ ଅପରାହ୍ଣ ୫ଟା ୧୫ ମିନିଟରେ ଫାଇନାଲ ହେବ ।

ପ୍ରଥମ ସେମି ଫାଇନାଲରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତି ନେଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ ୧୦୭ ରନ୍‌ କଲା । ନିତାଶା ମାତ୍ର ୩ ରନ୍‌ କରି ପାଭିଲିଅନ ଫେରିଲେ । ତାଙ୍କ ପୂର୍ବରୁ ଜର୍ଜିୟା ୩୫ ଓ ଇସାବେଲା ୨୬ ରନ୍‌ କରି ଆଉଟ୍‌ ହେଲେ । ଭାରତର ପାଶ୍ୱର୍ୀ ଚୋପଡ଼ା ତିନୋଟି ୱିକେଟ୍‌ ହାସଲ କରିଥିଲେ । ଭାରତ ୧୪.୨ ଓଭରରେ ଦୁଇଟି ୱିକେଟ୍‌ ବିନିମୟରେ ବିଜୟ ସୂଚକ ୧୦୮ ରନ୍‌ କରିଥିଲା । ଭାରତୀୟ ବ୍ୟାଟ୍ସଲେଡି ଶ୍ୱେତା ଦଳକୁ ଜିତାଇବା ସ୍ଥିତିକୁ ନେଇଥିଲେ । ତାଙ୍କ ବ୍ୟତୀତ ସୌମ୍ୟା ୨୨ ଓ ଅଧିନାୟିକା ଶେଫାଳୀ ୧୦ ରନ୍‌ କରିଥିଲେ । ଶ୍ୱେତା ସେହରାବନ୍‌ ୬୧ ରନ୍‌ କରିଥିଲେ । ଟୁର୍ଣ୍ଣାମେଂଟର ଟପ୍‌ ସ୍କୋରର ତାଲିକାରେ ଶ୍ୱେତାଙ୍କ ନାମ ରହିଛି । ଶ୍ୱେତା ବ୍ୟକ୍ତିଗତ ଭାବେ ତିନୋଟି ଅର୍ଦ୍ଧଶତକ ସମେତ ୨୯୨ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି ।
ଇଂଲଣ୍ଡର ଗ୍ରେସ ବ୍ୟକ୍ତିଗତ ଭାବେ ୨୬୯ ରନ୍‌ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଜିର ସେମି ଫାଇନାଲରେ ଗ୍ରେସ ଖେଳୁଥିବାରୁ ଶ୍ୱେତାଙ୍କୁ ପଛରେ ପକାଇବା ପାଇଁ ତାଙ୍କ ପାଖରେ ଅପୂର୍ବ ସୁଯୋଗ ରହିଛି ।

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ପରେପରେ ୟୁଏଇକୁ ୧୨୨ ଓ ସ୍କଟ୍‌ଲାଣ୍ଡକୁ ୮୩ ରନ୍‌ରେ ହରାଇ ଭାରତୀୟ ଝିଅ ଦଳ ପୁଲ-ଡି’ର ଶୀର୍ଷରେ ଅଛନ୍ତି । ଭାରତ ୪ ପଏଂଟ ପାଇ ସୁପର-୬ ଭିତରେ ସ୍ଥାନ ପାଇଛି । ଭାରତ କେବଳ ଅଷ୍ଟ୍ରେଲିଆଠାରୁ ୭ ୱିକେଟ୍‌ରେ ପରାଜୟ ବରଣ କରିଛି । ଭାରତୀୟ କନିଷ୍ଠ ମହିଳା ଟିମ୍‌ ଶ୍ରୀଲଙ୍କାର ରନ୍‌ ସ୍ଥିତିକୁ ୫୯ରେ ସୀମିତ ରଖିବା ପରେ ନିଜେ ୭.୨ ଓଭରରେ ଟାର୍ଗେଟ୍‌ ଅତିକ୍ରମ କରି ସେମି ଫାଇନାଲରେ ସ୍ଥାନ ପାଇଛି ।