୧୩୦ଟି ଆସନରେ ବିଜେପିକୁ ଜିତାଇବି ନଚେତ୍‌ ଲଣ୍ଡା ହୋଇଯିବି

କର୍ଣ୍ଣାଟକ ନିର୍ବାଚନ: ୭୯ ବର୍ଷୀୟ ୟେଦିୟୁରାପ୍ପା ବିଜେପି ଅଧିନାୟକ

ବେଙ୍ଗାଲୁରୁ: ଏମିତି ତ ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦିୟୁରାପ୍ପାଙ୍କ ମୁଣ୍ଡରେ ସେତେ କେଶ ନାହିଁ । ତଥାପି ଦମ୍ଭର ସହ କହିଛନ୍ତି ଯେ ସେ ବିଜେପିକୁ ୧୩୦ଟି ଆସନରେ ଜିତାଇବେ ନହେଲେ ଲଣ୍ଡା ହୋଇ ବୁଲିବେ ।

ବିଜେପି ଯେଉଁ ଫର୍ମୁଲା ପକାଇ ଗୁଜରାଟ ବିଧାନସଭାରେ ୧୫୬ଟି ଆସନ ଦଖଲ କଲା । କର୍ଣ୍ଣାଟକରେ ସେହି ଫର୍ମୁଲା ଖେଳିବାକୁ ଯୋଜନା କରୁଛି । ପ୍ରାୟ ୩୦% ବିଧାୟକଙ୍କୁ ଟିକେଟ୍‌ ଦିଆଯିବନି । ବିଶେଷ କରି ଯେଉଁ ବିଧାୟକଙ୍କ ରିପୋର୍ଟ ନେଗେଟିଭ, ସେମାନଙ୍କୁ ଦଳୀୟ ଟିକେଟ୍‌ ମିଳିବନି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହାତରେ ମାତ୍ର ତିନିମାସ ଅଛି । ବିଜେପି କ୍ଷମତାକୁ ଫେରିଲେ ବାସବରାଜ ବୋମାଇଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯିବନି ।
ବରିଷ୍ଠନେତାଙ୍କ ମତରେ କର୍ଣ୍ଣାଟକରେ ବିଜେପି ସଭାପତିଙ୍କ ସମେତ ଅନ୍ୟ ବଡ଼ ପଦବିଧାରୀଙ୍କୁ ହଟାଇ ନୂଆ ଚେହେରାଙ୍କୁ ଦାୟିତ୍ୱ ଦିଆଯିବ ।

କର୍ଣ୍ଣାଟକରେ ବିଜେପି ସରକାରକୁ ନିଅାଁ ଉପରେ ଚାଲିବାକୁ ପଡୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ପହଂଚିଥିବା ଗୋପନୀୟ ରିପୋର୍ଟ ଅନୁସାରେ କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ୬୦-୭୦ଟି ଆସନ ମିଳିବାର ସମ୍ଭାବନା ରହିଛି । କିନ୍ତୁ ସରକାର ଗଠନ ପାଇଁ ବିଜେପିକୁ ୧୧୩ଟି ଆସନ ମିଳିବା ଦରକାର ।
କଂଗ୍ରେସ ପାଇଁ ସେମିତି କିଛି ଖୁସି ଖବର ନାହିଁ; ଦଳକୁ ୮୦-୯୦ ଆସନ ମିଳିବାର ଆଶଙ୍କା କରାଯାଉଛି । କର୍ଣ୍ଣାଟକରେ ବିଜେପି କ୍ଷମତାକୁ ଫେରିଲେ, ୩୭ ବର୍ଷର ଇତିହାସ ପ୍ରଥମ ଥର ପାଇଁ ଭାଙ୍ଗିବ । ସଂକ୍ଷେପରେ କହିଲେ, କର୍ଣ୍ଣାଟକରେ ୩୭ ବର୍ଷର ଶାସନ ଭିତରେ କୌଣସି କ୍ଷମତାସୀନ ଦଳ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିନାହିଁ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସନ୍ତୁଷ୍ଟ ନାହାନ୍ତି । ତାଙ୍କ ଶାସନ କାଳରେ କୌଣସି ବଡ଼ ଧରଣର ପ୍ରକଳ୍ପ ହୋଇ ପାରିଲାନି । ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରାପ୍ପାଙ୍କ କର୍ଣ୍ଣାଟକ ନିର୍ବାଚନ କମିଟିର ମୁଖ୍ୟ କରାଯିବା ଏକପ୍ରକାର ନିଶ୍ଚିତ । ୟେୁଦିୟୁରାପ୍ପା ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ପୁଅକୁ ରାଜନୀତି ମଇଦାନରେ ପ୍ରତିଷ୍ଠା କରିବା ଯୋଜନାରେ ଅଛନ୍ତି ୟେଦିୟୁରାପ୍ପା । କର୍ଣ୍ଣାଟକରେ ବିଜେପି ୧୩୦ଟି ଆସନ ଜିତିବାକୁ ଆଶା ରଖିଛି ।