ଅଦାନୀଙ୍କ ମୁଣ୍ଡରେ ପେଚା: ତୃତୀୟରେ ଥିଲେ, ଖସିଗଲେ ସପ୍ତମକୁ

ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କ ମୁଣ୍ଡରେ ପେଚା …

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କ ମୁଣ୍ଡରେ ପେଚା ବସିଛି ବୋଲି କିଛି ଅର୍ଥଶାସ୍ତ୍ରୀ ଟାହିଟାପରା କରିଛନ୍ତି । କମ୍ପାନୀର ଋଣଭାର ରିପୋର୍ଟ ପଦାକୁ ଆସିବା ପରେ ଅଦାନୀ ଗ୍ରୁପ ପରିଚାଳିତ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ କମିବାକୁ ଲାଗିଛି । ଅଦାନୀ ଗ୍ରୁପକୁ କ୍ଷତିରେ ପକାଇବା ପଛରେ ହିଣ୍ଡେନବର୍ଗ ରିପୋର୍ଟକୁ ଦାୟୀ କରାଯାଉଛି ।

ମାତ୍ର ତିନିଦିନ ଭିତରେ ଅଦାନୀ ଗ୍ରୁପ ୧.୩୨ ଲକ୍ଷ କୋଟିରୁ ଅଧିକ କ୍ଷତି କରିଛି । ନିବେଶକମାନଙ୍କୁ ୨.୭୫ ଲକ୍ଷ କୋଟିରୁ ଅଧିକ କ୍ଷତି ସହିବାକୁ ପଡ଼ିଛି । ଆମେରିକାର ଫରେନ୍‌ସିକ୍‌ ଫାଇନାନ୍ସିଆଲ ରିସର୍ଚ ଫାର୍ମ ହିଣ୍ଡେନବର୍ଗ ତା’ର ବୁଧବାର ରିପୋର୍ଟରେ ଦର୍ଶାଇଛି ଯେ ଅଦାନୀ ଗ୍ରୁପ ପରିଚାଳିତ ସାତୋଟି କମ୍ପାନୀ ମୁଣ୍ଡରେ ବିପୁଳ ଋଣଭାର ରହିଛି । ଫଟକା ବଜାରରେ ବିକିଥିବା ଅଂଶପତ୍ରର ମୂଲ୍ୟରେ ହେରଫେର କରିଛି । ଆକାଉଂଟିଙ୍ଗରେ ହେରଫେର କରି ନିବେଶକଙ୍କ ପ୍ରତି ବିଶ୍ୱାସ ଘାତକତା କରିଛି । ଏ ପ୍ରକାର ହୀନ କାରସାଦି ଆଜିର ନୁହେଁ ବରଂ ଦଶନ୍ଧି ଦଶନ୍ଧି ଧରି ଚାଲିଛି ବୋଲି ହିଣ୍ଡେନବର୍ଗ ଉଲ୍ଲେଖ କରିଛି । ଅଦାନୀ ଗ୍ରୁପ ମନି ଲଣ୍ଡରିଂରେ ଜଡ଼ିତ ବୋଲି ଶୁଣିବା ପରଠାରୁ ନିବେଶକମାନେ ଗଭୀର ଚିନ୍ତାରେ ପଡ଼ିଯାଇଛନ୍ତି ।