ମୋଦୀଙ୍କୁ ବାଧୁଛି ବିବିସି ପ୍ରାମାଣିକ ଚିତ୍ର

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ରଗୋଷ୍ଠୀ ଓ ପୁଲିସ ହାତାହାତି ….

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ପ୍ରାମାଣିକ ଚିତ୍ର ପ୍ରଦର୍ଶନକୁ କେନ୍ଦ୍ର କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ରଗୋଷ୍ଠୀ ଓ ପୁଲିସ ହାତାହାତି ହୋଇଛନ୍ତି । ଛାତ୍ରଗୋଷ୍ଠୀ ପ୍ରାମାଣିକ ଚିତ୍ରଟିକୁ ଦେଖିବାକୁ ଆଗ୍ରହ ପ୍ରକାଶ କରିଥିଲା ବେଳେ ପୁଲିସ ସେଥିରେ ବାଧକ ସାଜିଛି । ପୁଲିସ ସୂଚନା ମୁତାବକ ବିବିସି ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନକୁ ନିଷେଧ କରାଯାଇଛି । ତେଣୁ ତା’ର ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ।

ପ୍ରଶାସନ ପକ୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଟସ ବିଭାଗ ନିକଟରେ ଧାରା-୧୪୪ ଜାରି କରାଯାଇଛି । ସେଠାରେ ଛାତ୍ରଛାତ୍ରୀମାନେ ଏକଜୁଟ ହୋଇପାରିବେ ନାହିଁ । ପୁଲିସ କିଛି ଛାତ୍ରଙ୍କୁ ଗିରଫ କରି ଥାନାକୁ ନେଇଛି । ଦିନକ ତଳେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନକୁ କେନ୍ଦ୍ର କରି ଷ୍ଟୁଡେଂଟ୍‌ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟରେ ତୁମୁଳ ସଂଘର୍ଷ ହୋଇଥିଲା ।

ହାଇଦ୍ରାବାଦରେ ଏସ୍‌ଏଫ୍‌ଆଇ ପ୍ରାୟ ୪୦୦ରୁ ଅଧିକ ଛାତ୍ରଙ୍କୁ ବିବାଦୀୟ ପ୍ରାମାଣିକ ଚଳଚ୍ଚିତ୍ର ଦେଖାଇଛି । ଜବାବରେ ଆରଏସ୍‌ଏସ୍‌ ଛାତ୍ର ସଂଗଠନ ଓ ଏବିଭିପି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ‘ଦି କଶ୍ମୀର ଫାଇଲ୍ସ’ ପ୍ରଦର୍ଶନ କରିଛି । ଏସ୍‌ଏଫ୍‌ଆଇ ପ୍ରଦର୍ଶିତ ପ୍ରାମାଣିକ ଚିତ୍ରର ଗୋଟିଏ ଫଟୋ ସୋସିଆଲ ମିଡିଆରେ ପ୍ରସାରଣ କରି କ୍ୟାପସନ୍‌ରେ ଲେଖିଛି ଯେ ଏବିଭିପି କର୍ମୀମାନେ ହଙ୍ଗାମା ସୃଷ୍ଟି କରିବାକୁ ଚାହୁଁଥିଲେ, ମାତ୍ର ଆମେମାନେ ତାହା କରାଇ ଦେଲୁନି ।