ବିସିସିଆଇକୁ ଝଟକା: କମୁଛି ଆଇପିଏଲ କ୍ରେଜ୍‌

ମୁମ୍ବାଇ: ଫଟାଫଟ କ୍ରିକେଟ ଆଇପିଏଲ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଥାଏ । ସବୁଠୁ ବଡ କଥା ହେଉଛି ଚଳିତ ଆଇପିଏଲ ୨୦୨୨ରେ ପ୍ରସାରଣକାରୀ ସଂସ୍ଥାକୁ ବଡ ଝଟକା ଲାଗିଛି । କାରଣ ଗତ ସପ୍ତାହରେ ଆଇପିଏଲ ମ୍ୟାଚକୁ ନେଇ ଆସିଥିବା ଟିଭି ରେଟିଂ ୩୩% ହ୍ରାସ ପାଇଛି । ଏକ ରିପୋର୍ଟ ଅନୁଯାୟୀ ଗତ ୨୬ ମାର୍ଚ୍ଚରୁ ୧ ଏପ୍ରିଲ ମଧ୍ୟରେ ୮ଟି ମ୍ୟାଚ୍‌ ଖେଳାଯାଇଥିଲା । ଆଉ ଏହି ସମୟରେ ଟିଭି ରେଟିଂ ପଏଣ୍ଟ ୨.୫୨ ରହିଥିଲା । ଅନ୍ୟପଟେ ୨୦୨୧ ଆଇପିଏଲ ସିଜିନର ପ୍ରଥମ ସପ୍ତାହରେ ଟିଭି ରେଟିଂ ପଏଣ୍ଟ ୩.୭୫ ଥିଲା । ଆଉ ଏହି ତଥ୍ୟ ଦର୍ଶାଉଛି ଯେ, ଚଳିତବର୍ଷ ଆଇପିଏଲର ଟିଭି ରେଟିଂ ପଏଣ୍ଟରେ ୩୩% ହ୍ରାସ ପାଇଛ ।

 

ସେହିପରି ୨୦୨୦ ଆଇପିଏଲ ସିଜିନର ଟିଭି ରେଟିଂ ପଏଣ୍ଟ ୩.୮୫ ରହିଥିଲା । କିନ୍ତୁ ଚଳିତ ଆଇପିଏଲର ଟିଭି ରେଟିଂ ପଏଣ୍ଟ ଲଗାତାର ହ୍ରାସ ପାଉଛି । ଅନ୍ୟପକ୍ଷରେ କେବଳ ରେଟିଂ ନୁହେଁ ବରଂ ଆଇପିଏଲ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମନରେ ଆଗ୍ରହ କମୁଛି । ଆଇପିଏଲ ଆରମ୍ଭ ହେବା ମାତ୍ରେ ଏହାର ପ୍ରସାରଣ କରୁଥିବା ଚ୍ୟାନେଲ ବାର୍କର ରେଟିଂ ପଏଣ୍ଟରେ ଏକ ନମ୍ବରକୁ ଆସିଥାଏ । କିନ୍ତୁ ଚଳିତଥର ସେମିତି ଦେଖିବାକୁ ମିଳିନି । ଯାହା ଜଣାପଡୁଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆଇପିଏଲ ଦେଖିବାକୁ ଆଉ ମନ ବଳାଉନାହିଁ ।