ଟେଷ୍ଟ ଦୁନିଆକୁ ବିତିଲା ୧୪୬: ୧୯୩୨ରେ ଭାରତ ଖେଳିଥିଲା ପ୍ରଥମ ଟେଷ୍ଟ

ଅଷ୍ଟ୍ରେଲିଆ ସର୍ବାଧିକ ୨ଟି ମ୍ୟାଚ୍‌ ଟାଇ କରିଛି…

ନୂଆଦିଲ୍ଲୀ:୧୪୬ ବର୍ଷକୁ ଅତିକ୍ରମ କଲା ଅନ୍ତର୍ଜାତୀୟ ଟେଷ୍ଟ କ୍ରିିକେଟ୍‌ । ୧୮୭୭ ମାର୍ଚ୍ଚ ୧୫ ତାରିଖରେ ମେଲବର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍‌ ଟେଷ୍ଟ । ତା’ପରେ ଆଉ ପଛକୁ ଦୃଷ୍ଟି ପକାଇନି ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସ । ୧୯୩୨ରେ ଭାରତ ପ୍ରଥମ ଟେଷ୍ଟ ଖେଳିଥିଲା । ମାତ୍ର ଟେଷ୍ଟ ମ୍ୟାଚ୍‌ ଜିତିବାର ସୁଆଦ ଚାଖିବାକୁ ୨୦ ବର୍ଷ ଲାଗିଗଲା । ୧୮୭୭ରୁ ୨୦୨୩ ମାର୍ଚ୍ଚ ୧୫ ସୁଦ୍ଧା ୧୨ଟି ଦେଶ ପ୍ରାୟ ୨୪୯୯ ମ୍ୟାଚ୍‌ ଖେଳିଛନ୍ତି । ୧୯୭୧ରେ ଆନ୍ତର୍ଜାତିକ ଦିନିକିଆ ଓ ୨୦୦୪ରେ ଟି-୨୦ କ୍ରିକେଟ୍‌ ଫର୍ମାଟ୍‌ ମୂଳଦୁଆ ପଡ଼ିଲା ।

ଏହି ଦୁଇଟି ଫର୍ମାଟ୍‌ କ୍ରିକେଟ୍‌କୁ ଆହୁରି ଲୋକପ୍ରିୟ କରିଦେଲା । ଆଜି ସାରାବିଶ୍ୱରେ କ୍ରିକେଟ୍‌ ପ୍ରେମୀଙ୍କ ସଂଖ୍ୟା ସର୍ବାଧିକ । ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ୨୪୯୯ ଟେଷ୍ଟ ମୁକାବିଲା ଭିତରୁ ୧୭୧୧ ମ୍ୟାଚର ଫଳାଫଳ ପ୍ରକାଶ ପାଇଛି; ଦୁଇଟି ମ୍ୟାଚ୍‌ ଟାଇ ରହିଛି; ୭୮୬ଟି ମ୍ୟାଚ୍‌ ଅମୀମାଂସିତ ରହିଛି । ଅନ୍ତର୍ଜାତୀୟ ଟେଷ୍ଟ ଇତିହାସ ଉପରେ ଦୃଷ୍ଟି ପକାଇବା ଫଳରେ ଜଣାଯାଇଛି, ଇଂଲଣ୍ଡ ସର୍ବାଧିକ ୧୦୬୦ ମ୍ୟାଚ୍‌ ଖେଳିଛି । ଅଷ୍ଟ୍ରେଲିଆ ସର୍ବାଧିକ ୪୦୫ଟି ମ୍ୟ।।ଚ୍‌ ଜିତିଛି । ଇଂଲଣ୍ଡ ସର୍ବାଧିକ ୩୧୮ଟି ମ୍ୟାଚ୍‌ ହାରିଛି । ଅଷ୍ଟ୍ରେଲିଆ ସର୍ବାଧିକ ୨ଟି ମ୍ୟାଚ୍‌ ଟାଇ କରିଛି । ସେଥିମଧ୍ୟରୁ ପ୍ରଥମଟି ୧୯୬୦ରେ ବ୍ରିସବେନ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଓ ଦ୍ୱିତୀୟଟି ୧୯୮୬ରେ ଚେନ୍ନାଇରେ ଭାରତ ବିପକ୍ଷରେ ।

୧୯୩୨ ଜୁନ ୨୪ ତାରିଖରେ ଭାରତ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‌ ଦୁନିଆରେ ଇଂଲଣ୍ଡ ବିପକ୍ଷରେ ପାଦ ପକାଇଥିଲା ଓ ପ୍ରଥମ ପରାଜୟ ବରଣ କରିଥିଲା । ୧୯୫୨ରେ ଟିମ୍‌ ଇଣ୍ଡିଆ ଟେଷ୍ଟ ଫର୍ମାଟରେ ଇଂଲଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରି ପ୍ରଥମ ବିଜୟ ମୁକୁଟ ପିନ୍ଧିଲା । ଭାରତ ଆଜି ସୁଦ୍ଧା ୫୬୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି ।

ତା’ ଭିତରୁ ୧୭୨ଟି ମ୍ୟାଚ୍‌ ଜିତିଛି; ୧୭୫ଟି ମ୍ୟାଚ୍‌ ହାରିଛି । ଗୋଟିଏ ମ୍ୟାଚ୍‌ ଟାଇ କରିଛି ଓ ୨୨୧ଟି ଟେଷ୍ଟ ଡ୍ର’ କରିଛି । ଭାରତ ଅଷ୍ଟ୍ରେଲିଆକୁ ସର୍ବାଧିକ ୩୨ ଥର ହରାଇଛି ଓ ଇଂଲଣ୍ଡଠାରୁ ସର୍ବାଧିକ ୫୦ ଥର ହାରିଛି । ଟେଷ୍ଟ ଦୁନିଆରେ ଭାରତ ସର୍ବାଧିକ ୭୫୯ ରନ୍‌ କରିଛି ଓ ତାହା ମଧ୍ୟ ଇଂଲଣ୍ଡ ବିପକ୍ଷରେ । ଟେଷ୍ଟ ଦୁନିଆରେ ଭାରତ ସର୍ବନିମ୍ନ ସ୍କୋର ୩୬ କରିଛି ଓ ତା’ ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ ।