ଥାଇଲାଣ୍ଡ ଓପନ: ସିନ୍ଧୁ ସେମିଫାଇନାଲ ହାରିଲେ

ଥାଇଲାଣ୍ଡ ଓପନରେ ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁଙ୍କ ଯାତ୍ରାରେ ଶନିବାର ବ୍ରେକ…

ନୂଆଦିଲ୍ଲୀ: ଥାଇଲାଣ୍ଡ ଓପନରେ ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁଙ୍କ ଯାତ୍ରାରେ ଶନିବାର ବ୍ରେକ ଲାଗିଛି । ସୁପର ୫୦୦ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ଦୁଇଥରର ଅଲିମ୍ପିକ ପଦକ ବିଜୟିନୀ ସିନ୍ଧୁଙ୍କୁ ଅଲିମ୍ପିକ ଚାମ୍ପିଅନ ଏବଂ ବିଶ୍ୱର ନଂ.୪ ଖେଳାଳି ଚୀନର ଚେନ ୟୁ ଫେଇ ୨୧-୧୭, ୨୧-୧୬ ସିଧା ଗେମରେ ପରାଜିତ କରିଛନ୍ତି । ସିନ୍ଧୁଙ୍କ ପରାଜୟ ସହ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି । ଏହି ମ୍ୟାଚ୍‌ ପୂର୍ବରୁ ତୃତୀୟ ସିଡ ଚେନ୍‌ଙ୍କ ବିପକ୍ଷରେ ଷଷ୍ଠ ସିଡ୍‌ ସିନ୍ଧୁଙ୍କ ବିଜୟ ରେକର୍ଡ ୬-୪ ଥିଲା । ମାତ୍ର ସେ ଚୀନ୍‌ର ଏହି ଖେଳାଳିଙ୍କ ବିପକ୍ଷରେ ସେପରି ଦମଦାର ପ୍ରଦର୍ଶନ କରିପାରି ନଥିଲେ । ମ୍ୟାଚର ପ୍ରଥମ ଗେମରେ ୩-୩ରେ ସ୍କୋର୍‌ ସମାନ ରଖିବା ପରେ ସିନ୍ଧୁ ବ୍ରେକ ବେଳକୁ ୭-୧୧ରେ ପଛୁଆ ରହିଥିଲେ ।

ଏହାପରେ ଚେନ୍‌ ରାଲିରେ ପ୍ରଭାବ ଜାରି ରଖିବା ସହ ପାଞ୍ଚ ଗେମ ପଏଣ୍ଟ ହାସଲ କରିଥିଲେ । ସିନ୍ଧୁ ଦୁଇଟି ଗେମ୍‌ ପଏଣ୍ଟ ବଞ୍ଚାଇଥିଲେ ମଧ୍ୟ ଚୀନ୍‌ ଖେଳାଳି ସହଜରେ ପ୍ରଥମ ଗେମ ଜିତିନେଇଥିଲେ । ଦ୍ୱିତୀୟ ଗେମରେ ବିଶ୍ୱର ନଂ.୭ ସିନ୍ଧୁ ଉନ୍ନତ ପ୍ରଦର୍ଶନ କରି ପ୍ରଥମେ ୬-୩ ଅଗ୍ରଣୀ ହାସଲ କରି ବ୍ରେକ ବେଳକୁ ଦୁଇ ପଏଣ୍ଟ୍‌ ଆଗରେ ରହିଥିଲେ । ମାତ୍ର ଚୀନ୍‌ ଖେଳାଳି ଉନ୍ନତ ପ୍ରଦର୍ଶନ କରି ୧୫-୧୨ ହୋଇଥିଲେ । ଏହାପରେ ସିନ୍ଧୁ ଲୟ ବଜାୟ ରଖିବାରେ ବିଫଳ ହେବାରୁ ଚେନ ଚାରିଟି ମ୍ୟାଚ ପଏଣ୍ଟ୍‌ ହାସଲ କରି ବିଜୟୀ ହୋଇଥିଲେ ।