ଟିମ୍‌ ଇଣ୍ଡିଆ ପାଇଁ ବିଶାଖାପଟନମ୍‌ ପିଚ୍‌ ଅତି ଶୁଭ

ନୂଆଦିଲ୍ଲୀ: ଘରୋଇ ମଇଦାନରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତକୁ ୨୮ ରନ୍‌ରେ ହାରିବାକୁ ପଡ଼ିଥିଲା । ଫେବୃଆରୀ ୨ ତାରିଖରୁ ବିଶାଖାପଟନମରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇବା ପାଇଁ ଭାରତ ନିକଟରେ ବଢ଼ିଆ ମଉକା ଅଛି । କଥା କ’ଣ କି, ବିଶାଖାପଟନମର ୱାଇଏସ୍‌ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ କେବେ ପରାଜିତକୁ ସାମ୍ନା କରିନି ।

ବିଶାଖାପଟନମ ପିଚରେ ଭାରତ କୌଣସି ଟେଷ୍ଟ ମ୍ୟାଚ୍‌ ହାରିନାହିଁ । ଭାରତ ଉକ୍ତ ମଇଦାନରେ ଦୁଇଟି ଟେଷ୍ଟ ଖେଳି ପ୍ରତିପକ୍ଷକୁ ୨୦୦ରୁ ଅଧିନ ରନ୍‌ ବ୍ୟବଧାନରେ ପରାସ୍ତ କରିଛି ।

ସୂଚନା ମୁତାବକ ୨୦୧୬ ନଭେମ୍ବରରେ ଭାରତ ଉକ୍ତ ମଇଦାନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା । ସେତେବେଳେ ବିରାଟ କୋହଲି ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲେ । ବିରାଟ ବ୍ୟକ୍ତିଗତ ଭାବେ ପ୍ରଥମ ପାଳି ୧୬୭ ଓ ଦ୍ୱିତୀୟ ପାଳି ୮୧ ରନ୍‌ କରିଥିଲେ । ଉକ୍ତ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୨୪୬ ରନ୍‌ ବ୍ୟବଧାନରେ ପରାସ୍ତ କରିଥିଲା । ବିରାଟଙ୍କୁ ପ୍ଲେୟାର୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା । ଏଥର ବିଶାଖାପଟନମ ମଇଦାନରେ ବିରାଟ ଖେଳି ନାହାନ୍ତି ।

ସେହିପରି, ଯଶସ୍ବୀ ଜୟସ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ବିତୀୟ ଟେଷ୍ଟ୍ ଶତକ (୧୭୯*) ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୬ ୱିକେଟ୍‌ ହରାଇ ୩୩୬ ରନ୍ ସଂଗ୍ରହ କରିଛି। ଅଧିକାଂଶ ଭାରତୀୟ ବ୍ୟାଟର୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ କେହି ଲମ୍ବା ପାଳି ଖେଳି ଅର୍ଦ୍ଧଶତକ ପୂର୍ଣ୍ଣ କରିପାରି ନାହାନ୍ତି। ବରଂ କେବଳ ଜୟସ୍ବାଲ ଏକା ଏକା ଦିନତମାମ ବ୍ୟାଟିଂ କରିଛନ୍ତି। ତଥାପି ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ଘରୋଇ ଦଳ ୩ଟି ପରିବର୍ତନ କରି ଖେଳିଥିଲା।