ବିଶ୍ୱ ହକି ଟୁର୍ଣ୍ଣାମେଂଟ: କ୍ରୀଡ଼ାବିତଙ୍କ ଅପେକ୍ଷାରେ ଓଡ଼ିଶା

ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସାରା ରାଜ୍ୟରେ ଦେଖିବାକୁ ମିଳିଛି ହକି ମାନିଆ । ଦିନ କେଇଟା ପରେ ଆରମ୍ଭ ହେବ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ । ଲୋକଙ୍କ ମନରେ ଉକ୍ରଣ୍ଠା ଦେଖିବାକୁ ମିଳୁଛି । ଏଥର ଭୁବନେଶ୍ୱର, ରାଉରକେଲା ଓ କଟକରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୪ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିଲା ବିଶ୍ୱଶ୍ରେଣୀର ହକି ଟୁର୍ଣ୍ଣମେଂଟ । ଏବେ କିନ୍ତୁ ସାରା ଓଡ଼ିଶାର ହକିପ୍ରେମୀ କଳିଙ୍ଗ ଷ୍ଟାଡିୟମ ଛଡ଼ା ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଓ କଟକର ବାରବାଟୀ ଷ୍ଟାଡିୟମରେ ହକି ଖେଳ ଦେଖିବାର ସୁଯୋଗ ପାଇବେ ।

ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ହକି ବିଶ୍ୱକପ୍ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନ୍ୟୁନ ୨୧ ହଜାର ଲୋକ ବସିପାରିବେ । ଉଭୟ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲୋକମାନେ ବିଶ୍ୱ ହକି ଟୁର୍ଣ୍ଣାମେଂଟର ମଜା ନେବାର ଅଛି । ତା’ ସହିତ କଟକରେ ମଧ୍ୟ ହକି ମାହୋଲ କ୍ରମେ ଜମାଟ ବାନ୍ଧୁଛି । ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।

ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ୱକପ୍ ଖେଳାଯିବ । ପଶ୍ଚିମ ଓଡ଼ିଶାର ହକିପ୍ରେମୀଙ୍କ ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଶ୍ରେଷ୍ଠ କ୍ରୀଡ଼ା ପୀଠ ଭାବେ ଉଭା ହୋଇଛି । ଉକ୍ତ ଷ୍ଟାଡିୟମରେ ଆଠଟି ଫ୍ଲଡ୍ ଲାଇଟ୍ । ଗ୍ରାଉଣ୍ଡରେ ଜର୍ମାନ୍ ବ୍ଲୁ ଟର୍ଫ ବିଚ୍ଛାଯାଇଛି । ଷ୍ଟାଡିୟମରେ ଚାରିଟି ବଡ଼ ଫ୍ଲଡ୍ ଲାଇଟ୍ ଲଗାଯାଇଛି ଯାହା ଜେନେରେଟର ସହାୟତାରେ ଜଳିବ । ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ପୋଷାକ ବଦଳାଇବା କକ୍ଷ ରହିଛି । କଳିଙ୍ଗ ଷ୍ଟାଡିୟମରେ ଅନ୍ୟୁନ ୧୫ ହଜାର ଲୋକ ବସିପାରିବେ ।