ଟ୍ୱିନ୍-ସିଟି ପାଇଁ ଅଧିକ ଆମ୍ବୁଲାନ୍ସ ଓ ଆଇସିୟୁ

ଭୁବନେଶ୍ୱର(ଏସ୍ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କଟକ-ଭୁବନେଶ୍ବରରେ ଗୁରୁତର ରୋଗୀଙ୍କ ପାଇଁ ଅଧିକ ICU ବେଡ୍ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ବର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

ଏପଟେ ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋଲିସ, ସ୍ବାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସରକାରୀ କର୍ମଚାରୀ ମାନେ ସଂକ୍ରମିତ ହେଉଥିବା ଖବରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସରକାରୀ କାର୍ଯ୍ୟାଳୟରେ କୋଭିଡ ନିୟମାନବଳୀକୁ ଆହୁରି କଡାକଡି ପାଳନ କରିବାପାଇଁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।