ଏନକାଉଣ୍ଟର: ୫ ନକ୍ସଲ ମୃତ, ୨ ଯବାନ ଶହୀଦ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତକାଲି କନ୍ଧମାଳ-କଳାହାଣ୍ଡି ସୀମାରେ ହୋଇଥିବା ଏନକାଉଣ୍ଟରରେ ୫ ନକ୍ସଲ ମରିଛନ୍ତି। ପାଲଟା ଗୁଳି ଚାଳନାରେ ୨ ଏସଓଜି ଯବାନ ମଧ୍ୟ ଶହୀଦ ହୋଇଥିବା ଜଣାପଡ଼ିଛି। ଏନେଇ କଳାହାଣ୍ଡି ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି।

ଶହୀଦ ଯବାନ ଦ୍ୱୟ ହେଲେ ଦେବାଶିଷ ସେଠୀ(୨୭) ଏବଂ ସୁଧୀର କୁମାର ଟୁଡୁ(୨୮)। ଦେବାଶିଷଙ୍କ ଘର ଅନୁଗୋଳ ଜିଲ୍ଲା ଅଙ୍ଗପଡ଼ାରେ ହୋଇଥିବା ବେଳେ ସୁଧୀର ମୟୁରଭଞ୍ଜ ଜିଲ୍ଲା ସନଭାଡ଼ୁଆ ଗାଁର ବୋଲି ଜଣାପଡ଼ିଛି। କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଭଣ୍ଡରଙ୍ଗୀ ସିର୍କି ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ଉଭୟ ଶହୀଦ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଶହୀଦଙ୍କ ବଳିଦାନକୁ ସାଲ୍ୟୁଟ୍ କରିଛନ୍ତି। ଓଡ଼ିଶା ମାଟି ଏହି ଦୁଇ ସାହସୀ ସନ୍ତାନଙ୍କ ତ୍ୟାଗକୁ ମନେରଖିବ ବୋଲି ସେ ଟ୍ୱିଟରରେ ଲେଖିଛନ୍ତି। ଏହାସହ ଶହୀଦଙ୍କ ପରିବାରକୁ ନିଜର ସମବେଦନା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଓ କ୍ୟାମ୍ପ୍ ଥିବାନେଇ ପୋଲିସକୁ ଗୁଇନ୍ଦା ତଥ୍ୟ ମିଳିଥିଲା। ଏହାପରେ ସର୍ଚ୍ଚ ଅପରେସନରେ ସାମିଲ୍ ହୋଇଥିଲେ ଏସଓଜି ଓ ଡିଭିଏଫ ଯବାନ। ପ୍ରଥମେ ନକ୍ସଲ ଯବାନମାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ। ପ୍ରାୟ ଦେଢ଼ଘଣ୍ଟା ଧରି ଉଭୟ ପଟୁ ଗୁଳି ବିନିମୟ ହେବାପରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ। ପରେ ଖୋଜାଖୋଜି ବେଳେ ୫ ନକ୍ସଲଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା।