ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ସଂକ୍ରମଣ ଭୟରେ ସ୍କୁଲ ଖୋଲିବା ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ପିଲାଙ୍କ ସ୍ୱାସ୍ଥ୍ୟ ନ ବିଗୁଡ଼ୁ ସେଥିପାଇଁ ବନ୍ଦ ପଡ଼ିଛି ଶିକ୍ଷାନୁଷ୍ଠାନ। ଯାହା କିଛି ଅନଲାଇନରେ ପାଠ ପଢ଼ା ଚାଲିଛି। ହେଲେ ଶ୍ରେଣୀ ଗୃହ ପାଠପଢ଼ାର ସ୍ଥାନ ଅନଲାଇନ କ୍ଲାସ ନେଇପାରିବନି ଏ କଥା ଜଣାପଡ଼ିଲାଣି। ଏଣୁ ସମସ୍ତେ କରୋନା କମିବା ନେଇ ଅପେକ୍ଷାରେ ରହିଛନ୍ତି। ଇତିମଧ୍ୟରେ ନିଆରା ବ୍ୟବସ୍ଥା ଆପଣେଇ ଇରାନ ସରକାର ସ୍କୁଲ ଖୋଲିଛନ୍ତି।

ମଧ୍ୟପ୍ରାଚ୍ୟ ଓ ଇରାନ ଉପରେ ବିଶେଷ ରୁଚି ରଖୁଥୁବା ନ୍ୟୁୟର୍କ ଟାଇମ୍ସର ସାମ୍ବାଦିକା ଫରନାଜ ଫସିହି ନିଜ ଟ୍ୱିଟର ଏକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଦୁଇଦିନ ତଳେ ସେୟାର କରିଥିବା ଏହି ଫଟୋଟି ଇରାନର ଏକ ସ୍କୁଲର ବୋଲି ଲେଖିଛନ୍ତି। ଯେଉଁଥିରେ ଟେବୁଲ୍ ଚୌକିରେ ଶ୍ରେଣୀ ଗୃହରେ ବସିବା ସଦୃଶ ଛାତ୍ରୀମାନେ କ୍ୟାମ୍ପିଂ ଟେଣ୍ଟ୍ ଭିତରେ ଜଣେ ଲେଖାଏଁ ବସିଛନ୍ତି। ଗୋଟେ ପରେ ଗୋଟେ ଟେଣ୍ଟ୍ ଭିତରେ ବସିଛନ୍ତି ପିଲାମାନେ। ତାରି ଭିତରେ ତାଙ୍କର ବ୍ୟାଗ ବସ୍ତାନି, ବହି ପତ୍ର, ସବୁ ରଖିଛନ୍ତି। ଟ୍ରାନ୍ସପରେଣ୍ଟ ହୋଇଥିବାରୁ ପଛ ଟେଣ୍ଟରେ ଥିବା ପିଲା ମଧ୍ୟ ଆଗରେ ପଢ଼ାଉଥିବା ଶିକ୍ଷକଙ୍କୁ ଦେଖିପାରୁଛି। ଖୁସିରେ ଚାଲିଛି ପାଠ ପଢ଼ା।
ଫରନାଜଙ୍କ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଫଟୋଟିକୁ ପସନ୍ଦ କରିବା ସହ ଏହା ଉପରେ କମେଣ୍ଟ କରିଛନ୍ତି। ଭାରତରେ ଏହି ଉପାୟ ଅବଲମ୍ବନ କରି ପାଠ ପଢ଼ାଇଲେ କେମିତି ହୁଅନ୍ତା ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ କି ସମାଜିକ ଦୂରତା ରକ୍ଷା ସହ କରୋନା ସଂକ୍ରମଣ ଠାରୁ ପିଲାଙ୍କୁ ମୁକ୍ତ ରଖିହେବ।
ସବୁଠାରୁ ବଡ କଥା ହେଉଛି ଇରାନରେ ୭ ମାସ ପରେ ୭ ସେପ୍ଟେମ୍ବର ଠାରୁ ଏଭଳି ସାମଜିକ ଦୂରତା ରଖି ଆଉ ମାକ୍ସକୁ ବାଧ୍ୟତା ମୂଳକ କରି ୧.୫ କୋଟି ପିଲା ସ୍କୁଲ ଯାଉଛନ୍ତି। ବିଶେଷ କରି କରୋନାର ପ୍ରଭାବ କାମ ଥିବା ସ୍ଥାନରେ ହିଁ ଏଭଳି ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ଇରାନରେ ୩ ଲକ୍ଷ ୯୫ ହଜାର ୪୮୮ କରୋନା ସଂକ୍ରମଣ ଥିବା ବେଳେ ଏଯାବତ୍ ୨୨ ହଜାର ୭୯୮ ଜଣଙ୍କର ମୃତ୍ୟ ହୋଇଛି। ଆଉ ୩ ଲକ୍ଷ ୪୦ ହଜାର ୮୪୨ ଲୋକ ସୁସ୍ଥ ହୋଇଛନ୍ତି। ତେବେ ଭାରତରେ ଏହି ସ୍ଥିତି ଚିନ୍ତାଜନକ ରହିଛି। ଭାରତରେ ଏବେ ସୁଦ୍ଧା ୪୪ ଲକ୍ଷ ୬୫ ହଜାର ଉପରେ କରୋନା ଆକ୍ରାନ୍ତ ହେଲେଣି।