ସଫେଇ କର୍ମଚାରୀଙ୍କ ପାଇଁ ‘ଗରିମା’ କାର୍ଯ୍ୟକ୍ରମ

ଭୁବେନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍‌ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଏହାଦ୍ବାରା ଉପକୃତ ହେବେ। ଏଥିପାଇଁ ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ଏବଂ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଏହାର ଲାଭ ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସାରା ବିଶ୍ବ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ମହାତ୍ମା ସାରା ଜୀବନ ସମାଜର ଏହି ଅବହେଳିତ ବର୍ଗର କଲ୍ୟାଣ, ଅଧିକାର ଓ ମର୍ଯ୍ୟାଦା ପାଇଁ ଲଢେଇ କରିଛନ୍ତି। ପରିମଳକୁ ଗାନ୍ଧିଜୀ ସ୍ବାଧୀନତାଠାରୁ ଅଧିକ ଗୁରୁତ୍ବ ଦେଉଥିଲେ। ତେଣୁ ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ‘ଗରିମା’ ଯୋଜନା ବାପୁଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି’।

ସେହିପରି କୋଭିଡ ଯୁଦ୍ଧ ସମୟରେ ସେମାନେ ଯେପରି ନିଜ ଜୀବନକୁ ବିପଦରେ ପକାଇ ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ‘ଗରିମା’ ଯୋଜନାରେ ବିପଦପୂର୍ଣ୍ଣ ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ଉପରେ ଗୁରୁତ୍ବ ଦିଆଯିବ। ସେମାନଙ୍କର କଠିନ ଓ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସ୍ବତନ୍ତ୍ର ଭତ୍ତା, ସ୍ବାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ୯୦ ପ୍ରତିଶତ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, EPF, ESI ଏବଂ ପରିବାର ପେନ୍‌ସନ ଆଦି ବିଭିନ୍ନ କଲ୍ୟାଣ ଯୋଜନାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।