ଜୁଲାଇ ୨୬ ତାରିଖରୁ ଦଶମ, ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତି

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): କରୋନା ସଂକ୍ରମଣ କମିବାରୁ ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତି ହୋଇଛି । ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ । ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଂଟର ହେଉଛି, ସେଗୁଡିକ ପରୀକ୍ଷା ପରେ ଖୋଲିବ ବୋଲି ସେ କହିଛନ୍ତି ।
ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲା ସ୍କୁଲକୁ ଆସିପାରିବେ । ଦଶମ ଓ ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ । ସ୍କୁଲ ଖୋଲିବା ନିଷ୍ପତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ । ଯଦି କେଉଁଠି କେସ ବଢିବ, ସେଠି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ଖୋଲିବ । ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ । ସ୍କୁଲରେ ଖେଳଛୁଟି ହେବନି । ପିଲା ଘରେ ଯାଇ ଖାଇ ପାରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ ।
ସେ କହିଛନ୍ତି, ଏଣିକି ସିବିଏସ୍‌ଇ ଢାଂଚାରେ ନବମ ଓ ଦଶମ ପିଲାଙ୍କ ମୂଲ୍ୟାୟନ ହେବ । ନବମ ଓ ଦଶମରେ ବର୍ଷ ତମାମ ଆସେସମେଂଟ ପରୀକ୍ଷା ଚାଲିବ । ବର୍ଷକରେ ୪ଟି ଫର୍ମେଟିଭ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ । ହେବାକୁ ଥିବା ୪ଟି ଫର୍ମେଟିଭ ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ । ଆସେସମେଂଟ ପରୀକ୍ଷା ସରିଲେ ଫାଇନାଲ ପରୀକ୍ଷା ହେବ । ଯଦି ପୁଣି କୋଭିଡ ନେଇ ପରୀକ୍ଷା କରି ନହୁଏ, ସେହି ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ । ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଂଟ ଟେଷ୍ଟ ପରିଚାଳନା ହେବ ।