ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟ ସରକାର ବ୍ୟାପକ ଜାଲିଆତି କରିବା ପ୍ରସଙ୍ଗ
ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି
ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରୁଛନ୍ତି
ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଂଟି ପାରିନାହାଁନ୍ତି
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି?
ରାଜ୍ୟରେ ୨ ଲକ୍ଷରୁ ଉଦ୍ଧ୍ୱର୍ କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତମାନ ସୁଦ୍ଧା ବଂଟନ କରାଯାଇ ପାରିଲା ନାହିଁ
୯୩୪ କୋଟି ବିନିଯୋଗ ପ୍ରମାଣ ପତ୍ର ସଂପୂର୍ଣ୍ଣ ଭାବେ ଭୁଲ୍ ଅଛି
ଅନେକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସିଥିବା ରାସନକୁ ରାଜ୍ୟ ସରକାର ଗୋଦାମ ଘରୁ ଉଠାଇନାହାଁନ୍ତି
ଗରିବ ଲୋକଙ୍କୁ ୧ ହଜାର ଟଙ୍କା ଆବଂଟନରେ ହେରଫେର ମାମଲା ଲୋକାଯୁକ୍ତଙ୍କ ପାଖରେ ପଡି ରହିଛି
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟରେ ନବୀନ ସରକାରଙ୍କ କୌଣସି ଆର୍ଥିକ ଭୂମିକା ନଥିବା ସତ୍ୱେ କେନ୍ଦ୍ରୀୟ ଗାଇଡଲାଇନକୁ ପାଳନ ନକରି ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଫଟୋ ଲଗାଇ ବଡ ବଡ ବିଜ୍ଞାପନରେ ନିଜର ଆତ୍ମପ୍ରଚାର ଚଲାଇବା ନିନ୍ଦନୀୟ ଘଟଣା
ରାଜ୍ୟ ସରକାର କେବେ ୱାନ ନେସନ ୱାନ ରାସନ ଯୋଜନା ଲାଗୁ କରିବେ ତାହା ସ୍ପଷ୍ଟ କରନ୍ତୁ
ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା.୨୧/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ରାଜ୍ୟରେ ବିଜେଡି ସରକାର ଏହି ଯୋଜନାରେ ବ୍ୟାପକ ହେରଫେର କରିବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରୁଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡ ଧାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତ ବର୍ଷ ମେ ମାସରେ ମାତ୍ର ୮୭ ଲକ୍ଷ ୩୯ ହଜାର ୪୯୪ ଜଣ ରାସନ ନେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚୀରୁ ୫ ଲକ୍ଷ ୪୩ ହଜାର ୬୯୯ ଜଣ ମାଗଣାରେ ରାସନ ନେଇ ନାହାଁନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ମେ ମାସରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୧ ଟଙ୍କା ଦେଇ ୮୮ଲକ୍ଷ ୭୬ ହଜାର ୧୬୨ ରାସନ ନେଇଛନ୍ତି । ଏହି ଯୋଜନାରେ ମଧ୍ୟ ୪ ଲକ୍ଷ ୦୭ ହଜାର ୦୩୧ଜଣ ରାସନ ନେଇ ନାହାଁନ୍ତି । ସେହିପରି ଜୁନ୍ ୨୦୨୧ରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ ଲକ୍ଷ ୨୩ ହଜାର ୦୩୪ ଜଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ ଉଠାଇଛନ୍ତି । ଜୁନ୍ ମାସରେ ୪ଲକ୍ଷ ୫୪ହଜାର ୪୫୧ଜଣ ରାସନ ନେଇ ନାହାଁନ୍ତି । ଜୁନ୍ ୨୦୨୧ରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ଲକ୍ଷ ୭୨ ହଜାର ୮୨୭ଜଣ ୧ ଟଙ୍କା ଦେଇ ରାସନ ନେଇଛନ୍ତି । ସେଥିରେ ମଧ୍ୟ ୪ ଲକ୍ଷ ୦୪ ହଜାର ୬୫୮ଜଣ ରାସନ ସଂଗ୍ରହ କରିନାହାଁନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଂଟି ପାରିନାହାଁନ୍ତି । ଏହି ବଳକା ଭୂତ ରାସନକାର୍ଡଧାରୀ କେଉଁମାନେ ଏବଂ କେନ୍ଦ୍ର ଦେଉଥିବା ବଳକା ରାସନ ଯାଉଛି କୁଆଡେ ଏବଂ ଭୂତ କାର୍ଡଧାରୀଙ୍କ ରାସନ କିଏ ଖାଉଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି ? ମାଗଣାରେ କମ୍ ସଂଖ୍ୟାରେ ହିତାଧିକାରୀ ରାସନ ନେଉଥିବା ସମୟରେ ୧ ଟଙ୍କା ଦେଇ କିପରି ଅଧିକ ସଂଖ୍ୟାରେ ହିତାଧିକାରୀ ରାସନ ନେଉଛନ୍ତି ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟରେ ଭୂତ ହିତାଧିକାରୀଙ୍କ ତାଲିକା ଓଡିଶା ସରକାର କେନ୍ଦ୍ରକୁ ଦେଇଛନ୍ତି ଏବଂ ଏଠି ରାଜ୍ୟରେ ରାଜ୍ୟ ସରକାର ଭୂତ ରାସନକାର୍ଡ ଧାରୀଙ୍କ ତାଲିକା ବଢାଇ ଚାଲିଛନ୍ତି । ଓଡିଶାର କରୋନାର ପ୍ରଥମ ଲହରରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ ପ୍ରାୟ ୯୫ ଲକ୍ଷ ୫୧ ହଜାର କାର୍ଡଧାରୀଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୩୦ଟି ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ଟଙ୍କା ଆବଂଟନ କରାଯାଇଥିଲା । କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ମାତ୍ର ୯୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ପ୍ରଦାନ କରିଛନ୍ତି । ବଳକା ପ୍ରାୟ ୨ ଲକ୍ଷରୁ ଉଦ୍ଧ୍ୱର୍ କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତମାନ ସୁଦ୍ଧା ବଂଟନ କରାଯାଇ ପାରିଲା ନାହିଁ । ସରକାର ମାଗିଥିବା ଫର୍ମାଟ ଅନୁଯାୟୀ ଏପର୍ଯ୍ୟନ୍ତ ଆବଂଟନର ବିନିଯୋଗ ପତ୍ର ଦେଇପାରି ନାହାଁନ୍ତି । ରାଜ୍ୟ ସରକାର ୧୪ ଜୁଲାଇ ୨୦୨୧ ଏବଂ ୧୫ ମାର୍ଚ୍ଚ ୨୦୨୧ ରାଜ୍ୟର ବିଭିନ୍ନ ଜିଲ୍ଲାର ସିସିଏସଓ/ସିଏସଓମାନଙ୍କୁ ପତ୍ର ଲେଖି ସେହି ଫର୍ମାଟରେ ଆବଂଟନ ବିନିଯୋଗ ପତ୍ର ମାଗିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ୯୩୪ କୋଟି ବିନିଯୋଗ ପ୍ରମାଣ ପତ୍ର ସଂପୂର୍ଣ୍ଣ ଭାବେ ଭୁଲ୍ ଅଛି । ଏହା ସହ ଅନେକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସିଥିବା ରାସନକୁ ରାଜ୍ୟ ସରକାର ଗୋଦାମ ଘରୁ ଉଠାଇନାହାଁନ୍ତି । ବରଗଡ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ୯୫ ପ୍ରତିଶତରୁ କମ ଚାଉଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉଠିନାହିଁ । ଅନୁଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗୀର, କଟକ, ଗଂଜାମ, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, ମୟୁରଭଂଜ, ନବରଙ୍ଗପୁର, ନୟାଗଡ, ପୁରୀ , ସୁନ୍ଦରଗଡ ଜିଲ୍ଲାରେ ୯୦ ପ୍ରତିଶତରୁ କମ ଗହମ ପଡିରହିଛି । ଗରିବ ଲୋକଙ୍କୁ ୧ ହଜାର ଟଙ୍କା ଆବଂଟନରେ ହେରଫେର ମାମଲା ଲୋକାଯୁକ୍ତଙ୍କ ପାଖରେ ପଡି ରହିଛି । ଏହାର ଜବାବ ରାଜ୍ୟ ସରକାର ଲୋକାୟୁକ୍ତଙ୍କୁ ଦେଇ ପାରୁ ନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ରାସନ ନେବା ପାଇଁ ଲୋକମାନଙ୍କୁ ସଚେତନ ଓ ସୂଚନା ଦେବା ପାଇଁ ରାଜ୍ୟର ସମସ୍ତ ରାସନ ବିତରଣ କେନ୍ଦ୍ର, ଗୋଦାମ, ସରକାରୀ କାର୍ଯ୍ୟାଳୟ, ଜନଗହଳି ସ୍ଥାନମାନଙ୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତ ଡିଜାଇନ ଆଂଚଳିକ ଭାଷାରେ ପୋଷ୍ଟର ଓ ବ୍ୟାନର ଲଗାଇବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହା ସହ ହ୍ୱାଟସଆପ ଗ୍ରୁପ ମାନଙ୍କରେ ଏହାର ପ୍ରଚାର ପ୍ରସାର କରିବା ଏବଂ ରାସନ ନେବା ପରେ ହିତାଧିକାରୀଙ୍କ ଭିଡିଓ କରି ପଠାଇବା ନେଇ କେନ୍ଦ୍ର୍ର ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟରେ ନବୀନ ସରକାରଙ୍କ ଏହି ଯୋଜନାରେ କୌଣସି ଆର୍ଥିକ ଭୂମିକା ନଥିବା ସତ୍ୱେ କେନ୍ଦ୍ରୀୟ ଗାଇଡଲାଇନକୁ ପାଳନ ନକରି ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଫଟୋ ଲଗାଇ ବଡ ବଡ ବିଜ୍ଞାପନରେ ନିଜର ଆତ୍ମପ୍ରଚାର ଚଲାଇଛନ୍ତି । କେନ୍ଦ୍ରୀୟ ଗାଇଡଲାଇନକୁ ରାଜ୍ୟ ସରକାର ଉଲ୍ଲଘଂନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । । ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବା ପାଇଁ ପଂଚାୟତ, ବ୍ଲକ ଓ ମ୍ୟୁନିସପାଲିଟି ସ୍ତରରେ ଆବେଦନ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ ରାସନ କାର୍ଡ ଯୋଗାଇବାରେ ବିଫଳ ହୋଇଛନ୍ତି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣାରେ ରାସନ ଯୋଗାଉଥିବା ସମୟରେ ରାଜ୍ୟ ସରକାର ୫ ଲକ୍ଷ ଭୂତ ରାସନ କାର୍ଡଧାରୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଏପର୍ଯ୍ୟନ୍ତ ଲାଗୁ କରିପାରି ନାହାଁନ୍ତି । ଯାହା ଫଳରେ ରାଜ୍ୟ ବାହାରେ ନିଜର ରୋଜଗାର ପାଇଁ ଯାଇଥିବା ଲକ୍ଷ ଲକ୍ଷ ଓଡିଆ ରାସନ ପାଇବାରୁ ବଂଚିତ ରହୁଛନ୍ତି । ରାଜ୍ୟ ସରକାର କେବେ ୱାନ ନେସନ ୱାନ ରାସନ ଯୋଜନା ଲାଗୁ କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।