ଛତ୍ରପୁର, (ଏସ୍ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ । ଗୁରୁତର ବି.ଆରାମାଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀର ପ୍ରୟ ୯୦ ଭାଗ ପୋଡି ଯାଇଥିବାରୁ ଅବସ୍ଥା ଗୁରୁତର ରହିଥିବା ଡାକ୍ତର କହିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନରୁ କଳହ ଲାଗି ରହିଥିଲା । ବାରମ୍ବାର ଝଗଡ଼ା ପରେ ଆରାମା ନିଜ ବାପଘରକୁ ଚାଲି ଯାଇଥିଲେ । କାମ କରିବା ପାଇଁ ବି. ଆରାମା ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ମୁକାଡୁ ତାଙ୍କୁ ରୋକିଥିଲା । ଦୁହିଁଙ୍କ ମଧ୍ୟରେ ବଚସା ହେବା ପରେ ଉତ୍କ୍ଷିପ୍ତ ହୋଇ ମୁକାଡୁ ସାଥିରେ ନେଇ ଆସିଥିବା ପେଟ୍ରୋଲ ଆରାମାଙ୍କ ଉପରେ ଢାଳି ଦିଆସିଲି ଲଗାଇ ଜାଳି ଦେଇଥିଲା । ଆରାମାଙ୍କ ଶରୀର ଜଳୁଥିବା ବେଳେ ମୁକାଡୁ ଚମ୍ପଟ ମାରିଥିଲା । ଗ୍ରାମବାସୀ ଆରାମାଙ୍କୁ ଉଦ୍ଧାର କରି ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିଲା । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ଥାନାରେ କେସ ନମ୍ବର ୩୬/୨୦୨୧ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ।