ଭୁବନେଶ୍ୱର, (ଏସ୍ ନ୍ୟୁଜ): ଟୋକିଓ ଅଲିମ୍ପିକ୍ସରେ ଶକ୍ତିଶାଳୀ ଜର୍ମାନୀକୁ ୫-୪ରେ ହରାଇ ଭାରତ ବ୍ରୋଞ୍ଜ ହାତେଇଛି । ମ୍ୟାଚ୍ ଜିତିବା ପରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବ୍ୟକ୍ତି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଫୋନରେ କଥା ହୋଇଛନ୍ତି । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ହକି ଦଳ । ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଭାରତ ଜିତିବା ପରେ ନବୀନ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏହାପରେ ସେ ଫୋନରେ ଖେଳାଳିଙ୍କ ସହ କଥା ମଧ୍ୟ ହୋଇଛନ୍ତି । ଏହାସହ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ, ପ୍ରଥମ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଜର୍ମାନୀ ଉପରେ ଭାରତ ଭାରି ପଡିଥିଲା । ତେବେ ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ୪-୫କୁ ଆଣିଥିଲା । ଏହାପରେ ବି ଦଳକୁ ପେନାଲ୍ଟି ମିଳିଥିବା ବେଳେ ଫାଇଦା ଉଠାଇପାରିନଥିଲା । ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲେ ବି ଭାରତ ୫-୪ରେ ଆଗୁଆ ରହି ମ୍ୟାଚ୍ ଜିତି ନେଇଥିଲା । ମ୍ୟାଚ୍ ଜିତିବା ପରେ ଭାରତକୁ ଅଲିମ୍ପିକ୍ସରେ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ମିଳିଛି ।