ଦେଶରେ ପ୍ରଥମ ଥର ପାଇଁ ଆଇଟିବିପିର ଲଢ଼ୁଆ ସେନାରେ ଯୋଗଦେଲେ ଦୁଇ ମହିଳା ଅଫିସର

ମସୁରୀ: ରବିବାର ଦୁଇ ମହିଳା ଅଫିସର ପ୍ରକୃତି ଏବଂ ଦିକ୍ଷା ଆଇଟିବିପିର ଲଢ଼ୁଆ ଅଫିସରଭାବେ ଯୋଗ ଦେଇଛନ୍ତି। ମସୁରୀରେ ଟ୍ରେନିଂ ଶେଷ କରିବା ପରେ ଦୁଇ ମହିଳା ପୁଲିସ ଅଫିସର ଆଇଟିବିପିରେ ଯୋଗଦେଇଛନ୍ତି।
ରବିବାର ମସୁରୀ ଟ୍ରେନିଂ କ୍ୟାମ୍ପରେ ପାସିଂ ଆଉଟ ପରେଡ୍ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମୀ ଏହାର ସମୀକ୍ଷା କରିଥିଲେ। ଆଇଟିବିପି ଏକାଡେମୀର ମୋଟ ୫୩ ଅଫିସର ପାସ୍ କରିଥିଲେ। ଏହି ପରେଡରେ ମୁଖ୍ୟମନ୍ତ୍ରୀ ଓ ଆଇଟିବିପି ମହାନିର୍ଦ୍ଦେଶକ ଏସଏସ ଦେସୱାଲ୍ ପ୍ରକୃତି ଓ ଦିକ୍ଷାଙ୍କୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଭାବେ ନିଯୁକ୍ତି ଦେଇଥିଲେ। ଆଇଟିବିପି ପାରାମିଲିଟାରୀରେ ଏଣ୍ଟ୍ରି ଲେବଲ ଅଫିସରଭାବେ ଦୁଇ ମହିଳାଙ୍କୁ ସାମିଲ କରାଯାଇଥିଲା।

ପ୍ରକୃତିଙ୍କ ବାପା ଭାରତୀୟ ବାୟୁସେନାରୁ ଅବସର ନେଇଥିବାବେଳେ ଦୀକ୍ଷାଙ୍କ ବାପା ଆଇଟିବିପିରେ ଜଣେ ଇନସପେକ୍ଟର। ଆଇଟିବିପି ଓମେନ କମ୍ବାଟ ଅଫିସର ପାଇଁ ୨୦୧୬ରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା। ୟୁନିୟନ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏକ ଜାତୀୟସ୍ତରୀୟ ପରୀକ୍ଷା ମାଧ୍ୟମରେ ଏଥିପାଇଁ ଚୟନ ହେଉଥିଲା। ଏହାପୂର୍ବରୁ ଏଥିରେ କେବଳ କନଷ୍ଟେବଳ ପଦବୀରେ ମହିଳା ଥିଲେ।