ନୂଆଦିଲ୍ଲୀ: କରୋନା ମୁକାବିଲାରେ ଆଗରେ ରହିଛି ଓଡ଼ିଶା। ଜାତୀୟ ହାର ଅପେକ୍ଷା ଓଡ଼ିଶାର ପଜିଟିଭିଟି ହାର କମ୍ ରହିଛି। ଜାତୀୟ ହାର ୮.୪ ପ୍ରତିଶତ ରହିଥିବା ବେଳେ ଓଡ଼ିଶାର ହାର ହେଉଛି ୬.୨ ପ୍ରତିଶତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି।
ଜାତୀୟ ହାର ଠାରୁ ମୋଟ ୩ଟି ରାଜ୍ୟର ପଜିଟିଭିଟି ହାର କମ୍ ରହିଛି। ଗୋଟିଏ ଓଡ଼ିଶା ହୋଇଥିବା ବେଳେ ଅନ୍ୟ ଦୁଇଟି ହେଲେ ପଶ୍ଚିମବଙ୍ଗ ଏବଂ ଗୁଜରାଟ। କରୋନା ଅପଡେଟ୍ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ମୁତାବକ ଦେଶରେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆକ୍ଟିଭ୍ କେସ୍ ସଂଖ୍ୟା ୫ ହଜାରରୁ କମ୍ ରହିଛି ଏବଂ ୧୮ଟି ରାଜ୍ୟରେ ଆକ୍ଟିଭ୍ କେସ ସଂଖ୍ୟା ୫ ରୁ ୫୦ ହଜାର ମଧ୍ୟରେ ରହିଛି। ସେହିଭଳି କେବଳ ୪ଟି ରାଜ୍ୟରେ ୫୦ ହଜାରରୁ ଅଧିକ ଆକ୍ଟିଭ୍ କେସ ରହିଥିବା ଜଣାପଡ଼ିଛି।
ଅନ୍ୟପଟେ ଦେଶର ମୋଟ ଆକ୍ଟିଭ୍ କେସର ୬୦ ପ୍ରତିଶତ କେବଳ ୫ ରାଜ୍ୟରେ ରହିଛନ୍ତି। ସର୍ବାଧିକ ଆକ୍ଟିଭ କେସ୍ ୨୯.୫ ପ୍ରତିଶତ ମହାରାଷ୍ଟ୍ରରେ ରହିଥିବା ବେଳେ ସେଠାରେ ସର୍ବାଧିକ ଦୈନିକ ହାରାହାରି ୪୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ତେବେ ନିୟୁତ ପିଛା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ତୁଳନା କଲେ ଭାରତରେ ସଂଖ୍ୟା ବହୁତ କମ୍ ରହିଛି। ପ୍ରତି ନିୟୁତ ସଂଖ୍ୟାରେ ଭାରତରେ ମୃତ୍ୟୁ ସଂଖ୍ୟା ୫୮ ରହିଛି।
କରୋନା ସଂକ୍ରମଣ ଥରେ ହେଲେ ଆଉଥରେ ହେବା କ୍ଷୀଣ ବୋଲି କହିଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ। ତେବେ ହଂକଂରେ ପୁନଃ ସଂକ୍ରମଣ ନେଇ ଏକ ଅଭିଯୋଗ ଆସିଛି। ଏନେଇ ତର୍ଜମା କରାଯାଉଛି, କିନ୍ତୁ ସେ ସଂକ୍ରମଣ କମ୍ ପରିମାଣର ବୋଲି ସେ କହିଛନ୍ତି। ଆମେରିକା ଏବଂ ୟୁରୋପୀୟ ଦେଶରେ ମାମାଲା ବଢ଼ି ପୁଣି ହ୍ରାସ ପାଇଥିଲା ଏବଂ ଏବେ ପୁଣି ବଢ଼ିବାରେ ଲାଗିଛି। ତେବେ ଭାରତରେ ଲକଡାଉନ ଯୋଗୁଁ ଗ୍ରାଫ୍ ସଠିକ ରହିଥିବା ସେ କହିଛନ୍ତି।