ବନ୍ୟା କ୍ଷୟକ୍ଷତି ଆକଳନ ଲାଗି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର(ଏସ୍ ନ୍ୟୁଜ ): ରାଜ୍ୟରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି ୬ ଜଣିଆ କେନ୍ଦ୍ରୀୟ ଟିମ୍ ସକାଳେ ଆସି ପହଞ୍ଚିଛନ୍ତି । ଏହି ଟିମରେ ଗୃହ, କୃଷି, ଜଳସଂପଦ ଆଦି ମନ୍ତ୍ରଣାଳୟର ଅଧିକାରୀମାନେ ରହିଛନ୍ତି ।

ଟିମ୍ ତିନି ଭାଗରେ ବିଭକ୍ତ ହୋଇ ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତରେ ଯିବେ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଆକଳନ ପରେ ସେମାନେ ଆସନ୍ତାକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଆଲୋଚନା କରିବେ ।

ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିଲା । ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଗୁଡିକରେ ଅଧିକରୁ ଅଧିକ କ୍ଷୟକ୍ଷତି ହୋଇଥିଲା। ବନ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ କ୍ଷୟକ୍ଷତିର ନିରୀକ୍ଷଣ କରିଥିଲେ। ଆଉ କ୍ଷୟକ୍ଷତିର ଆକଳନ କରିବାକୁ ଏକ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।