ଆମର ଜାତୀୟ ହିରୋ ଭୁବନେଶ୍ବରରେ ପହଞ୍ଚିଲେ,ଭବ୍ୟସମ୍ବର୍ଦ୍ଧନା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଅଲମ୍ପିକରେ ଭାଗ ନେଇଥିବା ଭାରତୀୟ ମହିଳା ଓ ପୁରୁଷ ହକି ଟିମ ଭୁବନେଶ୍ୱରରେ ପହଁଚିଛନ୍ତି । ବିମାନବନ୍ଦରରେ ବ୍ରିଲିଆଣ୍ଟ ଇନ ବ୍ଳୁ ପହଞ୍ଚିବା ପରେ ଦିଆଯାଉଛି ଭବ୍ୟ ସମ୍ବର୍ଦ୍ଧନା । ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଉଛି । ପରେ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ ।

ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବନ୍ଧୁକଧାରୀ ପୁଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି। ସେହିପରି କଳିଙ୍ଗ ଷ୍ଟାଡିୟମ, ସଚିବାଳୟ ଓ ଖେଳାଳି ରହୁଥିବା ହୋଟେଲରେ ପୁଲିସ ଛାଉଣୀ କରାଯାଇଛି। ଏଥିସହ ବିମାନବନ୍ଦର ଠାରୁ ହୋଟେଲ ଓ ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ସହରକୁ ହାଇ ଆଲର୍ଟ କରାଯାଇଛି ।

 ହକି ଟିମ୍‍ ରହିବା ଲାଗି ଜୟଦେବବିହାର ନିକଟରେ ଥିବା ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ହୋଟେଲରେ ଖେଳାଳି ପହଞ୍ଚିବା ପରେ କେକ୍‍ କାଟି ସ୍ୱାଗତ କରାଯିବ। ହୋଟଲର ଚତୁର୍ଥ ମହଲାରେ ମହିଳା ଟିମ୍‍ ରହିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ପୁରୁଷ ଟିମ୍‍ ପାଇଁ ପ୍ରସ୍ତୁତି କରାଯାଇଛି। ସେମାନଙ୍କ ୩୫ରୁ ୪୦ଟି କୋଠରୀ ବ୍ୟବସ୍ଥା କରାଯାଇଛି। ସେହିପରି ହକି ହିରୋଙ୍କ ପାଇଁ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରାଯାଇଛି। ଜଳଖିଆରେ ଫ୍ରୁଟ୍‍ ବାସ୍କେଟ, ଫ୍ରେସ ଫ୍ରୁଟ୍‍ ଜୁସ, ମିଲ୍କ ସେକ୍‍, କର୍ଣ୍ଣଫ୍ଲେକ୍ସ, ଚକୋଫ୍ଲେକ୍ସ, ମୁସଲି, ହ୍ୱାଇଟ ଆଣ୍ଡ ବ୍ରାଉନ ବ୍ରେଡ, କ୍ରୋସେଣ୍ଟ, ମଫିନ୍ସ ଭଳି ବିଭିନ୍ନ ଖାଦ୍ୟ ରହିଛି। ଏଥିସହ ମଧ୍ୟାହ୍ନ ଭୋଜନରେ ସାଦାରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍‍ ଓ ଆମିଷରେ ଲସୁନୀ କବାବ୍‍, ତନ୍ଦୁରୀ ଚିକେନ, ସେଜଓ୍‍ୱାନ ପ୍ରନ୍‍, ଫିସ୍‍ ଫିଙ୍ଗର ଆଦି ରହିଛି।

ଏହାସହ ଭେଜ୍‍ ବର୍ଣ୍ଣଟ୍‍ ବଣ୍ଡ ଗାର୍ଲିକ ସୁପ୍‍, ସାଲାଡ, ଫଳ, ପାମ୍ପଡ଼, ଆଚାର, ଚଟନି ରହିଛି। ଏହାସହ ମଟନ ଦମ୍‍ ବିରିୟାନି, ବଟର ଚିକେନ, ପେପର ଗାର୍ଲିକ ଫିସ୍‍, ପ୍ରନ ମନପସନ୍ଦ, ମଟନ କୁର୍ମା ଭଳି ସୁସ୍ୱାଦୁ ଖାଦ୍ୟ ଆମିଷ ମେନ୍ୟୁରେ ରହିଛି। ସାଦାରେ ମେଥି କର୍ଣ୍ଣ ପନିର ପାଲକ, ଦେଓ୍‍ୱାନୀ ହାଣ୍ଡି, ଭେଣ୍ଡି ଓନିଅନ ଟମାଟୋ ଫ୍ରାଏ, ଡାଲ୍‍ ଫ୍ରାଏ, ଚିଲ୍ଲି ମସରୁମ, ବେବିକର୍ଣ୍ଣ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ମିଠାରେ ଛେନାପୋଡ଼, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ ରହିଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।