ମୂର୍ତ୍ତି ଉଚ୍ଚତା ନେଇ ଡ଼ିସିପିଙ୍କୁ ଜଣାଇବ ପୂଜା କମିଟି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦୁର୍ଗା ମୂର୍ତ୍ତିର ଉଚ୍ଚତା ସଂପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟକ ପୂଜା କମିଟିକୁ ମୂର୍ତ୍ତିର ଉଚ୍ଚତା ନେଇ ଜଣାଇବାକୁ କୁହାଯାଇଛି ।

ପୂଜା କମିଟି ମାନେ ନିଜ ନିଜ ମୂର୍ତ୍ତିର ଉଚ୍ଚତା ବିଷୟରେ ଡ଼ିସିପିଙ୍କୁ ଯାଇ ଜଣାଇବେ। ଡ଼ିସିପିଙ୍କୁ ଜଣାଇବା ପରେ ପୋଲିସ ପୂଜା ମଣ୍ଡପର ଅନୁଧ୍ୟାନ କରିବ। ସମସ୍ତଙ୍କୁ ଆବେଦନ ଅନୁସାରେ ଅନୁମତି ଦିଆଯିବ । ହେଲେ ବର୍ତମାନ ପାଇଁ ଯିଏ ଯେତିକି ଉଚ୍ଚତା ମୂର୍ତ୍ତି କରିଥିବେ ସେତିକି ରହିବ ।


ପୂର୍ବରୁ ଦୁର୍ଗା ପୂଜାକୁ ନେଇ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିଥିଲେ। କେବଳ ପରମ୍ପରା ରକ୍ଷା ଲାଗି ମଣ୍ଡପରେ ହେବ ପୂଜା । ମୂର୍ତ୍ତି ଉଚ୍ଚତା ୪ ଫୁଟ ଭିତରେ ରହିବ,ପୂଜା ମଣ୍ଡପ ୩ ପାର୍ଶ୍ୱରୁ ଆବଦ୍ଧ ରହିବ, ଚତୁର୍ଥ ପାର୍ଶ୍ୱ ଆଶିଂକ ଖୋଲିବ , ଗହଳି ମନା, ଭକ୍ତ କରିପାରିବେନି ଦର୍ଶନ, କର୍ତ୍ତା ଓ ପୁରୋହିତଙ୍କୁ ମିଶାଇ ମଣ୍ଡପରେ ୭ ଜଣରୁ ଅଧିକ ରହିପାରିବେନି , ସାମାଜିକ ଦୂରତା ରକ୍ଷା ହେବ ଓ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଗାଇଡ଼ଲାଇନରେ ଦର୍ଶାଯାଇଥିଲା ।

ହେଲେ ସରକାରଙ୍କ ଏଭଳି ନିଷ୍ପତିକୁ ନେଇ କିଛି ପୂଜା କମିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହେବାସହ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଯାହାର ଶୁଣାଣି ଆଜି ହେବା ପରେ କଟକ ଡିସିପିଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।