ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’ ସାଉଦି ଆରବ, କତାର ଓ କୁଏତରେ ହେଲା ବ୍ୟାନ୍

ମୁମ୍ବାଇ,ତା ୨୦/୦୮ : ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ’କୁ ନେଇ ଚାରିଆଡେ ବେଶ ଚର୍ଚ୍ଚା ହେଉଛି । ଦର୍ଶକଙ୍କୁ ଫିଲ୍ମ ବହୁତ ପସନ୍ଦ ଆସିଛି । ଫିଲ୍ମ ଅନେକ ଦେଶର ସିନେମା ହଲରେ ରିଲିଜ ହୋଇଯାଇଛି । ଦର୍ଶକ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହୁଛନ୍ତି । କିନ୍ତୁ କିଛି ଆରବୀ ଦେଶ ଏହି ଫିଲ୍ମକୁ ରିଲିଜ କରିବାକୁ ଅସ୍ଵିକାର କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ଜରିଆରେ ସେମାନଙ୍କ ଦେଶର ଛବି ଖରାପ ହୋଇଛି। ସାଉଦି ଆରବ, କୁଏତ, କତାରରେ ଫିଲ୍ମକୁ ବ୍ୟାନ କରାଯାଇଛି। ଏହିସବୁ ଦେଶର ସେନ୍ସର ବୋର୍ଡ ଫିଲ୍ମର ଏକ ସିନକୁ ନେଇ ଆପତ୍ତି ଦର୍ଶାଇଛନ୍ତି।

୮୦ ଦଶକ ଉପରେ ଫିଲ୍ମ ଆଧାରିତ। ଫିଲ୍ମରେ ଭାରତର ପ୍ରଥମ ସିକ୍ରେଟ ଅପରେସନ ବିଷୟରେ ଦର୍ଶାଯାଇଛି। ରଞ୍ଜିତ ଏମ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବେଲ ବଟମ’ରେ ଅକ୍ଷୟ କୁମାରଙ୍କ ସହ ଲାରା ଦତ୍ତା, ବାଣୀ କପୁର, ଆଦିଲ ହୁସେନ, ହୁମା କୁରେସି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଦ୍ୱିତୀୟ ଭାଗରେ ଦେଖିବାକୁ ମିଳିଛି କିଭଳି ଏକ ଏୟାରକ୍ରାଫ୍ଟକୁ ହାଇଜ୍ୟାକର୍ସ ଲାହୋରରୁ ଦୁବାଇ ନେଇଯାଇଛନ୍ତି । ୧୯୮୪ ମସିହାରେ ଘଟିଥିବା ସତ ଘଟଣା ଉପରେ ଫିଲ୍ମଟି ଆଧାରିତ। ସେତେବେଳେ ସଂଯୁକ୍ତ ଆରବ ଫୋର୍ସ ହାଇଜ୍ୟାକର୍ସଙ୍କୁ ତାଙ୍କ କବଳକୁ ନେଇ ଯାଇଥିଲେ। ସେତେବେଳେ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ବିନ ରସିଦ ସ୍ଥିତି ନିୟନ୍ତ୍ରଣ କରିଥିଲେ।
ଏହି ସିକ୍ରେଟ ମିଶନକୁ କିଭଳି ଭାରତୀୟ ଅଧିକାରୀମାନେ ଶେଷ କରିଛନ୍ତି ଯାହା ସମ୍ପର୍କରେ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଜାଣିପାରିନଥିଲେ ଫିଲ୍ମରେ ତାହା ଦର୍ଶାଯାଇଛି । କାହାଣୀର ଏହି ଟ୍ଵିଷ୍ଟ ଯୋଗୁଁ ସେଠାକାର ସେନ୍ସର ବୋର୍ଡ ଫିଲ୍ମ ରିଲିଜକୁ ବ୍ୟାନ କରିଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୂଯାୟୀମ ବେଲ ବଟମ ଅଗଷ୍ଟ ୧୯ ତାରିଖରେ ସିନେମା ହଲରେ ରିଲିଜ ହୋଇସାରିଛି । ଭାରତରେ ସବୁ ସହରରେ ସିନେମା ହଲ ଖୋଲିନାହିଁ। ସେଥିପାଇଁ ଫିଲ୍ମ ରିଲିଜ କରିବା ନିଷ୍ପତ୍ତିକୁ ନେଇ ପ୍ରଶଂସା ହେଉଛି। ଦେଶର ଅଧିକାଂଶ ସହରରେ ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଖୋଳାଯାଉଛି।