ପରଲୋକରେ ବିଜେପି ନେତା ଅଶୋକ ସାହୁ

ଭୁବନେଶ୍ୱର(ଏସ୍ ନ୍ୟୁଜ ): ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ଉପ ସଭାପତି ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । କଟକର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ ।

ପୂର୍ବତନ ଆଇପିଏସ ଅଶୋକ ସାହୁ ଆସାମର ଅତିରିକ୍ତ ପୋଲିସ ଡିଜି ଭାବେ ସେ କାର୍ଯ୍ୟ କରିଥିଲେ । ଚାକିରୀ ସ୍ଵେଛାକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିଲେ । ଦଳରେ ଯୋଗ ଦେବା ପରେ ବିଭିନ୍ନ ସାଂଗଠନକି ପଦବୀରେ ରହି ସେ ରାଜ୍ୟ ଶାଖାର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

୨୦୦୯ରେ ସେ କନ୍ଧମାଳରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ୨୦୧୪ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଉଥିଲା। କିନ୍ତୁ ଦଳ ତାଙ୍କ ସ୍ଥାନରେ ରୁଦ୍ରମାଧବ ରାୟଙ୍କୁ ଟିକେଟ୍ ଦେଇଥିଲା ହେଲେ ରୁଦ୍ରମାଧବ ନିର୍ବାଚନ ଜିତି ପାରିନଥିଲେ ।

ଏହା ପରେ ସେ ରାଜ୍ୟ ନେତୃତ୍ୱକୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ସେ ମୋଦି ମ୍ୟାଜିକ୍ କାହିଁକି ଓଡ଼ିଶାରେ କାମ କରୁନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ଦଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କୁ ନେଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।