ରାଜ୍ୟରେ ୧୦୦୦ ଟପିଲା ପ୍ଲାଜମା ଥେରାପି

ଭୁବନେଶ୍ୱର(ଏସ୍ ନ୍ୟୁଜ ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ଵିସ୍ତାର କରିଚାଲିଛି । ଏହାରି ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବି ହୁ ହୁ ହୋଇ ବଢିଚାଲିଛି। ଦିନକୁ ଦିନ ମୃତ୍ୟୁ ର ମିଟର ବି ବଢିଚାଲିଛି । ଏଭଳି ସ୍ଥିତିରେ କରୋନାର ସଂକ୍ରମଣକୁ ରୋକିବାକୁ ବିଭିନ୍ନ ଚିକତ୍ସା ପଦ୍ଧତି ଓ ଥେରାପିର ସାହାଯ୍ୟ ନିଆଯାଉଥିବା ବେଳେ ରାଜ୍ୟ ପାଇଁ ପ୍ଲାଜମା ଥେରାପି ସଫଳତା ଆଣିଦେଇଛି। ଏହି ସଫଳତାକୁ ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା କରାଯାଇଛି ।


ଏନେଇ ଟ୍ୱିଟ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି । ଗୁରୁତର କରୋନା ରୋଗୀଙ୍କ ଶରୀରରେ ଏହି ପ୍ଲାଜମା ଥେରାପି ପ୍ରୟୋଗ ଏକପ୍ରକାର ସଫଳ ହୋଇଛି । ପ୍ଲାଜମା ଥେରାପି ଗ୍ରହଣ କରିଥିବା ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପରିକି ୧୦୦୦ ଜଣଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ସଫଳତାର ଶ୍ରେୟ ସମ୍ପୁର୍ଣ ପ୍ଲାଜମା ଥେରାପି ଟିମକୁ ଯାଉଛି ବୋଲି ଟ୍ଵିଟରେ ବିଭାଗ ଦର୍ଶାଇଛି।


ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏହି ପ୍ଲାଜମା ଥେରାପି ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କଟକ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ପରେ ଏହା ଜିଲ୍ଲା ସ୍ତରରେ ଉପଲବ୍ଧ ହୋଇଥିଲା ପ୍ଲାଜମା ଥେରାପି । ବର୍ତମାନ ରାଜ୍ୟର ସବୁ ସରକାରୀ ଓ ଘରୋଇ ମେଡିକାଲରେ ଏହି ପ୍ଲାଜମା ଥେରାପି ଉପଲବ୍ଧ ହେଉଛି ।

ଅନ୍ୟପଟେ ପ୍ଲାଜମା ଥେରାପି ଓଡିଶା ପାଇଁ ଏକ ନୁତନ ମାଇଲଖୁଣ୍ଟ ସ୍ଥାପନ କରିଥିବା ବେଳେ ଆବଶ୍ୟକୀୟ ଆକ୍ରାନ୍ତଙ୍କୁ ଚିକିତ୍ସା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ କରୋନା ରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ଅଧିକରୁ ଅଧିକ ପ୍ଲାଜମା ଦାନ କରିବାକୁ ମଧ୍ୟ ବିଭାଗ ପକ୍ଷରୁ କୁହାଯାଉଛି ।