ନୂଆଦିଲ୍ଲୀ: ଜାତିସଂଘ ସଂସ୍ଥା ୟୁନିସେଫ୍ (ୟୁନାଇଟେଡ ନେସନ୍ସ ଇଣ୍ଟରନ୍ୟାସନାଲ ଚିଲଡ୍ରେନ ଏମର୍ଜେନ୍ସି ଫଣ୍ଡ୍) ପକ୍ଷରୁ ସୂଚନା, ଆଗାମୀ ଦିନରେ ଭାରତୀୟ ଶିଶୁ ଜଳବାୟୁ ପରିବର୍ତ୍ତନର ଶିକାର ହେବେ ବୋଲି ଚେତାବନୀ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା କ୍ଷତିଗ୍ରସ୍ତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତ ବ୍ୟତୀତ ଏହି ତାଲିକାରେ ଦକ୍ଷିଣ ଏସିଆର ଆଉ ୩ଟି ରାଷ୍ଟ୍ର ଯଥା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟ ରହିଛି ।
ଭାରତ ସମେତ ଉପରୋକ୍ତ ୪ଟି ଦେଶର ପିଲାମାନେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଉଚିତ ମୁକାବିଲା କରିପାରିବେ ନାହିଁ ବୋଲି ୟୁନିସେଫ୍ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଭାରତରେ ସାମୁଦ୍ରିକ ବାତ୍ୟା, ବନ୍ୟା, ପ୍ରଦୂଷଣ ଓ ଗ୍ରୀଷ୍ମପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଗାମୀ ଦିନରେ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଏହାର ମୁକାବିଲା କରିବାରେ ଶିଶୁମାନେ ବ୍ୟର୍ଥ ହେବେ ବୋଲି କୁହାଯାଇଛି। ଶିଶୁଙ୍କ ସମେତ ମହିଳାମାନେ ମଧ୍ୟ ଏହାର କୁପରିଣାମ ଭୋଗିବେ ।
ୟୁନିସେଫ ପକ୍ଷରୁ ଏଭଳି ୩୩ଟି ରାଷ୍ଟ୍ରର ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯଥାକ୍ରମେ ୧୪, ୧୫, ୨୫ ଓ ୨୬ତମ ସ୍ଥାନରେ ରହିଥିବା ଜଣାପଡିଛି। ଏହି ଚାରିଟି ରାଷ୍ଟ୍ରରେ ପ୍ରାୟ ୧୦୦ କୋଟି ଶିଶୁ ବସବାସ କରୁଛନ୍ତି। ବିଶ୍ୱ ତାପମାତ୍ରା ୨ ଡିଗ୍ରୀ ସେଲସିିୟସ ବୃଦ୍ଧି ପାଇବାକୁ ଯାଉଥିବାବେଳେ ଆଗାମୀ ଦିନରେ ପ୍ରାୟ ୬୦ କୋଟି ଭାରତୀୟ ଜଳକଷ୍ଟ ଭୋଗିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହି ସମୟରେ ଭାରତର ସହରାଞ୍ଚଳରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ଦେଖାଦେଇପାରେ।
ବିଶ୍ୱର ୩୦ଟି ସବୁଠାରୁ ବାୟୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୧ଟି ସହର ଅନ୍ତର୍ଭୁକ୍ତ। ଜଳବାୟୁ ପରିବର୍ତ୍ତନ ଜନିତ କଷ୍ଟ ଅନୁଭବ କରିବା ଦ୍ୱାରା ଶିଶୁଙ୍କ ଅଧିକାର କ୍ଷୁଣ୍ଣ ହେବ ବୋଲି ଭାରତରେ ଅବସ୍ଥାପିତ ୟୁନିସେଫ୍ ପ୍ରତିନିଧି ଡ. ୟାସ୍ମିନ ଅଲ୍ଲୀ ହକ୍ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ପ୍ରାକୃତିକ ଦୁର୍ବିପାକ ଉପୁଜିବ, ତାହା ଶିଶୁଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ସଂପୃକ୍ତ ଦେଶର ପ୍ରାଥମିକତା ପାଲଟିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଶିଶୁଙ୍କ ନିମନ୍ତେ ଏକ ସ୍ୱଚ୍ଛ ପୃଥିବୀ ଗଠନ କରିବା ଜରୁରୀ ହୋଇପଡିଛି ବୋଲି ୟୁନିସେଫ୍ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ କୋଭିଡ୍ ଯୋଗୁଁ ବୟସ୍କଙ୍କ ସମେତ ଶିଶୁମାନେ ମଧ୍ୟ ବିପଦ ବଳୟରେ ରହିଛନ୍ତି। ତେଣୁ ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ଏହି ସରକାରମାନେ ପାନୀୟଜଳ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଏବେଠାରୁ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ୟୁନିସେଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।