ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଉଦ୍ଧାର ହୋଇ ଆସୁଥିବା ଜଣଙ୍କ ପରେ ଜଣେ କରୋନା ପଜିଟିଭ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ଆଫଗାନରୁ ଆସିଥିବା ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ସମାନ ଘଟଣା ଘଟିଛି। ମଙ୍ଗଳବାର ଆଫଗାନରୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି କାରଣରରୁ ସମସ୍ତ ୭୮ ଜଣ ଲୋକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ୧୬ ଜଣଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ତଥାପି ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କାବୁଲରୁ ଆସୁଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ଭାରତ ସରକାର ଗତକାଲି ନୂଆ ନିୟମ ଲାଗୁ କରିଛନ୍ତି। ଆଫଗାନରୁ ଆସୁଥିବା ଲୋକମାନେ ଏଣିକି ଭାରତ ଆସିଲେ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଦିଲ୍ଲୀର ଆଇଟିବିପିର ପ୍ରତିଷ୍ଠାନରେ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।