ଭୁବନେଶ୍ୱର,(ଏସ୍ ନ୍ୟୁଜ):ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ଏବେ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟରେ ଗଜା ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଆଇଏମ୍ଡ଼ି ଡିଜିଙ୍କ ଏଭଳି ଆଶଙ୍କା ରାଜ୍ୟର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନର ବାୟୁମଣ୍ଡଳ ସ୍ଥିତିକୁ ଦେଖିଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ । ୫ ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର କୌଣସି ସ୍ଥିତି ଦେଖାଯାଉନାହିଁ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହା ପରେ ହୁଏତ କିଛି ପରିବର୍ତ୍ତନ ହୋଇପାରେ । ସେପ୍ଟେମ୍ବର ମାସରେ କିଭଳି ବର୍ଷା ହେବ, ତା’ର ଆକଳନ ଅଗଷ୍ଟ ୩୧ ତାରିଖ କିମ୍ବା ସେପ୍ଟେମ୍ବର ପହିଲାରେ କରାଯିବ ।