ବିଏମ୍‌ସି ପକ୍ଷରୁ ଗଶେଶ ପୂଜା ଗାଇଡଲାଇନ୍‌

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଆଗକୁ ଆସୁଛି ପାର୍ବଣ ଋତୁ। ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଥିଲେ ହେଁ ଏହା ପୁଣି ତା’ର କୋପ ଦେଖାଇବାର ଭୟ ଘାରିଛି। ତେଣୁ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ। ପୂଜା ପାଇଁ କମିଶନରେଟ ପୁଲିସ୍‌ର ଅନୁମତି ନେବାକୁ ପଡ଼ିବ।ମଣ୍ଡପ/ପେଣ୍ଡାଲର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାବାଦ୍‌ ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ। ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ ଅଧିକ ହୋଇପାରିବ ନାହିଁ। ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ। ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ। ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି ।