୨ ସ୍କୁଲର ୩୪ ପିଲା ପଜିଟିଭ: ହାଇସ୍କୁଲ ସପ୍ତାହେ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା  କଟକଣା ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ କିଛି ଦିନ ହେବ ଖୋଲିଛି। ଏପରି ସ୍ଥିତିରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ଘଟଣା ଯୋଗୁ ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ  ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏହି ଘଟଣା ସାମନାକୁ ଆସିବା ପରେ   କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। 

ମିଳିଥିବା ସୂଚନା ମୁତାବକ  କାନପୁରା ହାଇସ୍କୁଲ ହଷ୍ଟେଲରେ ପିଲାମାନେ ରହୁଥିବା ବେଳେ ଗତ ୩୧ ତାରିଖରେ ୧୯୭ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏହାପରେ ୧ ତାରିଖରେ ୧୪୭ ଜଣଙ୍କର ଟେଷ୍ଟ ହୋଇଥିଲା। ୪ ତାରିଖରେ ଆସିଥିବା ରିପୋର୍ଟରେ ୨୦ ଜଣ ପଜିଟିଭ ହୋଇଥିଲେ।ପଜିଟିଭ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଏବେ ଅଫ୍‌ଲାଇନ୍‌ କ୍ଲାସ୍‌ ବନ୍ଦ ରହିଛି। ଏବେ ଅନଲାଇନ୍‌ରେ ପାଠପଢ଼ା ଚାଲୁଛି। ହେଲେ ଏବେ ୭ ଦିନ ପାଇଁ ସ୍କୁଲ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି। ସେହିପରି ବରଗଡ଼ର ଏକ ସ୍କୁଲର ୨୦ ପିଲା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।