‘ସଡ଼କ ୨’ ଦଶା ଭୋଗିବ ଆମିର୍ ଖାନଙ୍କ ‘ଲାଲ୍ ସିଂ ଚଡ୍ଡା’!

ମୁମ୍ବାଇ: ମିଷ୍ଟର ପରଫେକ୍ଟ ବୋଲାଉଥିବା ବଲିଉଡ଼୍ ଅଭିନେତା ଆମିର ଖାନ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି। ସେ ଏଭଳି କିଛି କରିଛନ୍ତି ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡ଼ିଆରେ ଭୟଙ୍କର ଟ୍ରୋଲର ଶିକାର ହେବାକୁ ପଡ଼ିଛି। ଏପରିକି ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ ଆଲିଆ ଭଟ୍ଟଙ୍କ ଅଭିନିତ ‘ସଡ଼କ ୨’ ଭଳି ଦଶା ଭୋଗିବ ବୋଲି କେହି କେହି କହିବା ଆରମ୍ଭ କରିଲେଣି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ତୁର୍କୀରେ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଆମିର୍। ତେବେ ରବିବାର ସେ ଇସ୍ତନବୁଲ ସ୍ଥିତ ରାଷ୍ଟ୍ରପତି ଭବନରେ ତୁର୍କୀ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଏମିନି ଏର୍ଦୋଗାନଙ୍କୁ ସାକ୍ଷାତ କରିଥିଲେ। ଏହାର ଫଟୋକୁ ଏମିନି ତାଙ୍କ ସୋସିଆଲ ମିଡ଼ିଆ ପେଜରେ ପୋଷ୍ଟ କରିଥିଲେ। ଯେଉଁଥିପାଇଁ ଆମିର୍ ସମାଲୋଚିତ ହୋଇଛନ୍ତି।

https://twitter.com/EmineErdogan/status/1294684499075366913?ref_src=twsrc%5Etfw

ଆରମ୍ଭରୁ ତୁର୍କୀ ରାଷ୍ଟ୍ରପତି ଜାମ୍ମୁ କାଶ୍ମୀରରୁ ଭାରତର ଧାରା ୩୭୦ ଉଚ୍ଛେଦ କାର୍ଯ୍ୟକୁ ବିରୋଧକରି ବୟାନବାଜି କରିଥିଲେ। ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ ବଦଳରେ ପାକିସ୍ତାନର ପକ୍ଷ ନେଇଆସୁଛି ତୁର୍କୀ। ଏ ପରିସ୍ଥିତିରେ ଆମିର୍ ତୁର୍କୀର ପ୍ରଥମ ମହିଳାଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନେକ ଭାରତୀୟ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଅନେକେ ସୋସିଆଲ ମିଡ଼ିଆରେ ନିଜ ନିଜର ଆକ୍ରୋଶ ବ୍ୟକ୍ତ କରିଛନ୍ତି।

ଅନ୍ୟ ଏକ ଘଟଣାକ୍ରମକୁ ଯୋଡ଼ି ଲୋକେ ଆମିରଙ୍କୁ ଘେରିଛନ୍ତି। ୨୦୧୮ରେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ଭାରତ ଗସ୍ତରେ ଆସିଥିବା ବେଳେ ଆମିର୍ ତାଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ। ଭାରତର ମିତ୍ର ରାଷ୍ଟ୍ରର ମୁଖ୍ୟଙ୍କୁ ଦେଖା କରିବାରେ ଅସୁବିଧା ଦର୍ଶାଉଥିବା ଆମିର୍ ତୁର୍କୀ ଭଳି ଶତୃ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଭେଟିବା ଚର୍ଚ୍ଚା ସୃଷ୍ଟି କରିଛି। ଅନେକେ ତାଙ୍କ ଆଗାମୀ ଫିଲ୍ମକୁ ବୟକଟ୍ କରିବାକୁ କହିଲେଣି।