ଅମରେଶ ନାୟକ ହତ୍ୟାକାଣ୍ଡ: ରୋଶନ ନାଁରେ ଲାଗିଲା ଏନ୍‌ଏସ୍‌ଏ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ବହୁଚର୍ଚ୍ଚିତ ସୁନ୍ଦରପଦାର ଅମରେଶ ନାୟକ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଜେଲରୁ ଫେରି ଖୁଲମଖୁଲା ନିଜର ଗ୍ୟାଙ୍ଗ ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହା ରୋଶନଙ୍କ ପାଇଁ ମହଙ୍ଗା ପଡ଼ିଛି । ଆଉ ମୁଖ୍ୟ ଅଭିଯୁକ୍ତ ରୋଶନ ଜେନା ନାଁରେ ଏନ୍‌ଏସ୍‌ଏ ଲାଗୁ ହୋଇଛି । ପୁଲିସ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରୋଶନକୁ ଅଟକ ରଖି ପଚରାଉଚରା କରିଛି ।

ସୂଚନାଯୋଗ୍ୟ, ଅଭିଯୁକ୍ତ ରୋଶନ ଜେନା ଜାମିନରେ ଆସି ଏକ ଖୋଲା ଜିପରେ ଶୋଭାଯାତ୍ରା କରିଥିଲା । ଶୋଭାଯାତ୍ରା ସମୟରେ ଜିପ ଉପରେ ବସିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଏୟାରଫିଲ୍ଡ ଥାନା ଅଂଚଳରେ ହୋଇଥିବା ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ରୋଶନ । ଯାହା ନାଁରେ ୮ଟି ମାମଲା ଥିବା କହିଛି ପୁଲିସ ।

ଗତ ଗୁରୁବାର ଦିନ ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ସେମାନେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନେ ଜେଲ୍‌ରୁ ମୁକୁଳିବା ପରେ ଶହଶହ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରକୁ ଫେରିଥିଲେ। ଏୟାରଫିଲ୍ଡ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା। ୪ ଅଭିଯୁକ୍ତ ଖୋଲା ଜିପ୍‌‌ରେ ବସି ନେତାଙ୍କ ଭଳି ସମର୍ଥକଙ୍କୁ ହାତ ହଲାଇବା ସହ ‘ସ୍ବାଗତ ଭାଇ ସ୍ବାଗତ’ରେ ପୂରା ଅଞ୍ଚଳ କମ୍ପି ଉଠିଥିଲା। କାଁ ଭାଁ କେହି ମାସ୍କ ପିନ୍ଧିଥିବା ବେଳେ ଅନ୍ୟମାନଙ୍କ ମୁହଁରେ ନଥିଲା। ଖାଲି ସେତିକି ନୁହେଁ, ଶୋଭାଯାତ୍ରା ପରେ ବିଳମ୍ବିତ ରାତି ଯାଏ ଭୋଜିଭାତର ଆସର ମଧ୍ୟ ଜମିଥିଲା। ଏହି ସବୁ କାର୍ଯ୍ୟକଳାପକୁ ଆଧାର କରି ରୋଶନ ଜେନା ନାଁରେ ଏନ୍‌ଏସ୍‌ଏ ଲାଗୁ ହୋଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏୟାରଫିଲଡ୍‌ ଥାନା ଅଧୀନ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା। ବୋମା ମାଡ଼ ସହ କାଠ ଫାଳିଆରରେ ପିଟି ତାଙ୍କୁ ମାରି ଦିଆଯାଇଥିଲା। ପୁଲିସ ଏହି ଘଟଣାରେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ଓରଫ ମଣ୍ଟୁଙ୍କୁ ଅଟକ ରଖିଥିଲା। ତେବେ ପ୍ରବଳ ବିରୋଧ ହେବାରୁ ପୁଲିସ ଛାଡ଼ି ଦେଇଥିଲା। ପରେ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା।