ଚଳିତ ଆଇପିଏଲ୍‌ ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ବ ଛାଡ଼ିବେ ବିରାଟ କୋହଲି

ଦୁବାଇ: ଚଳିତ ଆଇପିଏଲ୍‌ ପରେ ବିରାଟ କୋହଲି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନେତୃତ୍ବ ଆଉ ନେବେନାହିଁ। ରବିବାର ଏହି ଘୋଷଣା କରିଛନ୍ତି। ଆର୍‌ସିବିର ଟ୍ବିଟର ପୃଷ୍ଠାରେ କୋହଲି ଲେଖିଛନ୍ତି, ଆର୍‌ସିବିର ଅଧିନାୟକ ଭାବେ ଏହା ମୋର ଅନ୍ତିମ ଆଇପିଏଲ୍‌ ହେବ। ମୋର ଅନ୍ତିମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ପର୍ଯ୍ୟନ୍ତ ଆର୍‌ସିବିର ଖେଳାଳି ହୋଇ ରହିବି। ମୋ ଉପରେ ବିଶ୍ବାସ ରଖିବା ଏବଂ ମୋତେ ସମର୍ଥନ କରିବା ଯୋଗୁଁ ସମସ୍ତ ଆର୍‌ସିବି ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି। ୩୨ ବର୍ଷ ବୟସ୍କ ବିରାଟ କୋହଲି ୨୦୦୮ରେ ଆଇପିଏଲ୍‌ ଆରମ୍ଭହେବା ପରଠାରୁ ଆର୍‌ସିବି ପାଇଁ ହିଁ ଖେଳୁଛନ୍ତି। କୋହଲି ୨୦୧୩ରୁ ଆର୍‌ସିବିର ଅଧିନାୟକ ରହିଥିଲେ ହେଁ ତାଙ୍କ ଅଧୀନରେ ଦଳ ଗୋଟିଏ ମଧ୍ୟ ଆଇପିଏଲ୍‌ ମୁକୁଟ ଜିତି ପାରିନାହିଁ। କୋହଲି ଆଇପିଏଲ୍‌ରେ ୨ୟ ସର୍ବାଧିକ ୧୩୨ଟି ମ୍ୟାଚ୍‌ରେ ଦଳର ନେତୃତ୍ବ ନେଇଛନ୍ତି। କୋହଲି ୧୯୯ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ୨୦୧୬ ସଂସ୍କରଣରେ କୋହଲି ଚମତ୍କାର ବ୍ୟାଟିଂକରି ସର୍ବାଧିକ ରନ୍ ସ୍କୋର୍ କରିଥିଲେ ଏବଂ ସେହିବର୍ଷ ଆର୍‌ସିବି ଏକମାତ୍ର ଫାଇନାଲ ଖେଳି ସନ୍‌ରାଇଜର୍ସ ହାଇଦରାବାଦଠାରୁ ପରାସ୍ତ ହୋଇଥିଲା। ସୂଚନାଯୋଗ୍ୟ; କିଛିଦିନ ତଳେ ବିରାଟ କୋହଲି ଚଳିତବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପ​‌େ​‌ର ଆଉ ଭାରତୀୟ ଟ୍ବେଣ୍ଟି୨୦ ଦଳର ନେତୃତ୍ବ ନେବେନାହିଁ ବୋଲି ଘୋଷଣା କରିଥିଲେ। ଏବେ ଆଇପିଏଲ୍‌ରେ ନେତୃତ୍ବରୁ ଓହରିବା ସହ ସ୍ପଷ୍ଟ ହୋଇଯାଇଛି ଯେ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ କୋହଲି ଆଉ ନେତୃତ୍ବ ନେବେନାହିଁ।