ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ବରରେ ଏକ ତାଲିମ ଶିବିର ଆରମ୍ଭ ହୋଇଛି । ଏଥିପାଇଁ ୯ ଟି ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଯୋଗ ଦେଇଛନ୍ତି। ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କେମିତି କରାଯାଉଛି ତାହା ଉପରେ ଆଲୋଚନା ହେଉଛି । ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ଅନେକ ଅଭିଜ୍ଞତା ରହିଛି ଓଡ଼ିଶାର । ଏହା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ରୋଲ୍‌ ମଡେଲ ସାଜିଛି। ଆଜିଠୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀ କର୍ମଶାଳାରେ ଏହା ଆୟୋଜନ ହେଉଛି । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି। ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ବୁଲ୍‌ବୁଲ୍‌, ଅମ୍ପାନ, ୟସ୍‌, ଆଉ ଏବେ ଗୁଲାବ । ଗତ ୯ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଛି ।