କୋଭିଡ଼ ହସ୍ପିଟାଲରେ ନିଆଁ, ଘଟଣାସ୍ଥଳରେ ୧୦ ଆମ୍ବୁଲାନ୍ସ

କଟକ: ଜଗତପୁରସ୍ଥିତ ସଦଗୁରୁ କୋଭିଡ଼ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ୧୦ ଆମ୍ବୁଲାନ୍ସ ପହଞ୍ଚିଛି। ସମସ୍ତ ୧୨୭ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା।

ହସ୍ପିଟାଲର ଆଇସିୟୁରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ଏହାର ତଦନ୍ତ ଦେବ ବୋଲି ଚିଫ୍ ଫାୟାର ଅଫିସର ଶ୍ରୀକାନ୍ତ ସେଠୀ କହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ଡିସିପି ଏବଂ ସିଏମସି କମିଶନର ପହଞ୍ଚି ସମସ୍ତ ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟ ପରିଚାଳନା କରିଛନ୍ତି।

ପିପିଇ କିଟ୍ ପିନ୍ଧି ସମସ୍ତ କରୋନା ରୋଗୀଙ୍କୁ ପ୍ରଥମେ ବାହାରକୁ ଅଣାଯାଇଛି। ସେମାନଙ୍କୁ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ୧୦ଟି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପଠାଯିବ।