ଆଇପିଏଲ ୨୦୨୦: ଆଜି ଚେନ୍ନାଇ-ରାଜସ୍ଥାନ ମୁକାବିଲା

ଦୁବାଇ: ଆରମ୍ଭ ହୋଇଯାଇଛି ଆଇପିଏଲ ମହାସମର। ତିନି ତିନୋଟି ଧମାକାଦାର ମ୍ୟାଚ୍ ଦେଖି ସାରିଲେଣି ଦର୍ଶକ। ଆଜି ଚତୁର୍ଥ ଦିନର ମୁକାବିଲାରେ ପରସ୍ପର ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ।

ଚେନ୍ନାଇ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚଳିତ ସିଜିନର ପ୍ରଥମ ଲଢ଼େଇ ଜିତି ସାରିଛି। ଅନ୍ୟପଟେ ତିନି ଦିନ ପରେ ଆଜି ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ଦେଖିବାକୁ ଗଲେ ଚେନ୍ନାଇ ଟିମର ମନୋବଳ ଦୃଢ଼ ରହିଛି। ଅନ୍ୟପଟେ ରାଜସ୍ଥାନ ମଧ୍ୟ ନିଜର ପ୍ରଥମ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିବାକୁ ଯୋଜନା ରଖିଛି। ଆଜିର ମ୍ୟାଚ୍ ସାରଜାହା ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଖେଳ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବ।

ରାଜସ୍ଥାନ ପାଇଁ ଚିନ୍ତାର ବିଷୟ ହେଲା କି ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏଯାଏଁ ସ୍କ୍ୱାଡ଼ରେ ସାମିଲ୍ ହୋଇନାହାନ୍ତି। ତେବେ ଅଧିନାୟକ ଷ୍ଟିଭ୍ ସ୍ମିଥ, ଜୋସ ବଟଲର, ଜୋଫ୍ରା ଆର୍ଚର, ଜୟଦେବ ଉନଦକଟ, ଶ୍ରେୟାସ ଗୋପାଳଙ୍କ ଭଳି ଖେଳାଳି ଧୋନୀଙ୍କ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବେ। ଏପଟେ ପ୍ରଥମ ମ୍ୟାଚ୍ ଜିତି ସାରିଥିବାରୁ ଚେନ୍ନାଇ ସମାନ ଖେଳାଳିଙ୍କୁ ଧରି ମୈଦାନକୁ ଓହ୍ଲାଇବା ସମ୍ଭାବନା ରହିଛି। ଷ୍ଟାର ବୋଲର ଡାୱେନ୍ ବ୍ରାଭୋ ଏଯାଏଁ ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି।