ନିର୍ବାଚନ ଲଢ଼ିବେ ବିହାର ଡିଜିପି ଗୁପ୍ତେଶ୍ୱର!

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସେ ଆଗକୁ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଚର୍ଚ୍ଚା ହେଉଛି।

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସୁଶାନ୍ତଙ୍କ ବାପା ପାଟନାରେ ମାମଲା ରୁଜୁ କରିଥିଲେ। ଏହାପରେ ‘ଚାକିରି ଛାଡ଼ିଦେବି ପଛେ ମାମଲାର ତଦନ୍ତରେ ପଛଘୁଞ୍ଚା ଦେବିନାହିଁ’ ବୋଲି ବୟାନ ଦେଇଥିଲେ ଡିଜିପି ଗୁପ୍ତେଶ୍ୱର। ମୁମ୍ବାଇକୁ ସେ ମଧ୍ୟ ବିହାର ପୋଲିସର ଏକ ଟିମ୍ ପଠାଇଥିଲେ। ପରେ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସ ମଧ୍ୟରେ କିଛି ଦିନ ଶୀତଳ ଯୁଦ୍ଧ ଲାଗିଥିଲା। ଉଭୟ ରାଜ୍ୟର ସରକାର ଓ ପୋଲିସ ପରସ୍ପରକୁ ଦୋଷାରୋପ କରିବା ସହ ବୟାନବାଜି ଜାରି ରଖିଥିଲେ। ପରେ ବିହାର ପୋଲିସର ପ୍ରସ୍ତାବ ଆଧାରରେ ମାମଲାର ସିବିଆଇ ତଦନ୍ତ ଲାଗି ରାଜି ହୋଇଥିଲେ କେନ୍ଦ୍ର ସରକାର।

ସେ ସମୟରେ ଗୁପ୍ତେଶ୍ୱରଙ୍କର ‘ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବା ଲାଗି ରିୟା ଚକ୍ରବର୍ତ୍ତୀଙ୍କ ଔକାତ ନାହିଁ’ ବୟାନ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା। ଜଣେ ଆଇପିଏସ ଅଫିସର ରାଜନେତାଙ୍କ ସପକ୍ଷରେ ବାହାରି ଅନ୍ୟଜଣଙ୍କୁ ଏଭଳି ଭାଷା କହିବା ଆଦୌ ଶୋଭନୀୟ ଦର୍ଶାଇ ଅନେକ ତାଙ୍କୁ ସମାଲୋଚନା କରିଥଲେ। ତେବେ ପରେ ମାମଲାରେ ରିୟା ଜଣେ ଅଭିଯୁକ୍ତ ହୋଇଥିବାରୁ ସେ ଏଭଳି କଥା କହିଥିବା ସଫେଇ ଦେଇଥିଲେ।

ବର୍ତ୍ତମାନ ସେ ଭିଆରଏସ ନେଇ ସାରିଥିବାରୁ ଜେଡିୟୁରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଉଡ଼ୁଛି। ତେବେ ସେ ଏଯାଏଁ କୌଣସି ଦଳରେ ମିଶିନାହାନ୍ତି କି ଏନେଇ ନିଷ୍ପତ୍ତି ନେଇନାହାନ୍ତି ବୋଲି ଗୁପ୍ତେଶ୍ୱର ଖବର ସରବରାହ ସଂସ୍ଥା ଏଏନଆଇକୁ ଜଣାଇଛନ୍ତି। ରାଜନୀତିକୁ ନଯାଇ ମଧ୍ୟ ସାମାଜ ସେବା କରିହେବ ବୋଲି ସେ ଜଣାଇଛନ୍ତି।