ବାଲେଶ୍ୱର(ଏସ୍ ନ୍ୟୁଜ): ସଦର ଆସନ ପାଇଁ ଉପନିର୍ବାଚନ ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ହେଲେ ବିଜେଡ଼ି କ୍ୟାମ୍ପରେ ଗୋଷ୍ଠୀ କନ୍ଦଳ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଦଳର ଜିଲ୍ଲା ସଭାପତି ଥିବା ରବୀନ୍ଦ୍ର ଜେନା ଦଳ ଛାଡ଼ିବା ନେଇ ଖବର ଉଡ଼ୁଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି।
ଜେନା କହିଛନ୍ତି ଯେ ସେ ଅସନ୍ତୁଷ୍ଟ ନାହାନ୍ତି। ଦଳ ଯାହାକୁ ପ୍ରାର୍ଥୀ କରିବ ସେ ତାଙ୍କ ପାଇଁ ପ୍ରଚାର କରିବେ। ବିଜେଡ଼ି ଛାଡ଼ିବାର ପ୍ରଶ୍ନ ନାହିଁ ବୋଲି ସେ ରୋକଠୋକ ଜଣାଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲା ସଭାପତି ଥାଇ ମଧ୍ୟ ଉପନିର୍ବାଚନରେ ତାଙ୍କୁ କୌଣସି ଦାୟିତ୍ୱ ନମିଳିବାରୁ ଖପ୍ପା ହୋଇଛନ୍ତି ରବୀନ୍ଦ୍ର। ତାଙ୍କର ସମର୍ଥକ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ତେବେ ସର୍କିଟ ହାଉସରେ ଏନେଇ ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ତାଙ୍କ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱର ଉପନିର୍ବାଚନ ଲାଗି ବିଜେଡ଼ି ବରିଷ୍ଠ ନେତା ଅନନ୍ତ ଦାସ ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ଦାୟିତ୍ୱ ଦେଇଛି। ଅନ୍ୟପଟେ ବିଜେପି ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ଦାୟିତ୍ୱ ଦେଇଛି। କଂଗ୍ରେସରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଥିବା ବେଳେ ବିଜେଡ଼ିରୁ ଅଭିନେତା ଅରିନ୍ଦମଙ୍କ ନାଁ ଆଗରେ ରହିଛି।