ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ତାର ଅଭିଯାନ ଶେଷ କରିବା ସହ ଟିମରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛ । କୋହଲି ଆଉ ଟି-୨୦ରେ ଅଧିନାୟକ ଭାର ସମ୍ଭାଳିବେନି । ଏହି ଟି-୨୦ କ୍ରିକେଟରେ ଭାରତକୁ ମିଳିବାକୁ ଯାଉଛି ନୂଆ କ୍ୟାପଟେନ । ତେବେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି କୋହଲି ଟି-୨୦ର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ଅଧିନାୟକ ରହିବେ କିମ୍ବା ତାଙ୍କ ଠାରୁ ଅଧିନାୟକ ଭାର କାଢି ନିଆଯିବ । ଏ ନେଇ ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହୱାଗ କହିଛନ୍ତି କୋହଲି ଟି-୨୦ରେ ଅଧିନାୟକ ପଦ ଛାଡିବା ଠିକ କିନ୍ତୁ ଦିନିକିଆ ଓ ଟେଷ୍ଟରେ ସେ ପୂର୍ବତନ ଭଳି ରହିବା ଉଚିତ । ଆଉ କିଛି ଦିନ ପାଇଁ ଉଭୟ ଫର୍ମାଟରେ ସେ ଅଧିନାୟକ ଭାବେ ରୁହନ୍ତୁ ବୋଲି ସେ କହିଛନ୍ତି । ଭାରତୀୟ ଦଳର ଖେଳାଳିମାନେ କୋହଲିଙ୍କ ନେତୃତ୍ୱରେ ଖୁବ ଭଲ ଖେଳି ଆଗକୁ ଯାଇଛନ୍ତି । ସେହୱାଗ କହିଛନ୍ତି, କୋହଲି ଜଣେ ଚମତ୍କାର ଖେଳାଳି, ଆକ୍ରମକ ବ୍ୟାଟ୍ସମ୍ୟାନ ଏବଂ ସଫଳ ଅଧିନାୟକ । ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ସିରିଜ । ଦଳର ହେଡ କୋଚ୍ ନୂଆ ଇନିଂସ ଆରମ୍ଭ କରିବେ ରାହୁଲ ଦ୍ରାବିଡ । ଏହା ସହ ଟିମ ଇଣ୍ଡିଆର ନୂଆ ଅଧିନାୟକ ନାଁ ମଧ୍ୟ ଘୋଷଣା ହେବ ।